ପଞ୍ଚାୟତ ନିର୍ବାଚନ: ଆଜି ୩୦୭ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ଭୋଟ ଗଣତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ବାକ୍ସ ଗୁଡ଼ିକ ଶନିବାର ଠାରୁ ପର୍ଯ୍ୟାୟ କ୍ରମେ ଖୋଲିଛି। ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗଣତି ହୋଇଛି। ବିଳମ୍ବିତ ରାତି ଯାଏଁ ଫଳାଫଳ ଆସି ନଥିଲେ ବି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ଯେ, ବିଜୁ ଜନତା ଦଳ ୮୯ ପ୍ରତିଶତ ଜୋନ୍‌ରେ ଭଲ ପ୍ରଦର୍ଶନ କରିଛି।

ଆଜି ୩୦୭ଟି ଜିଲ୍ଲା ପରିଷଦ ଜୋନରେ ପୂର୍ବାହ୍ନ ୮ଟାରୁ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଭୋଟ ଗଣତି ହେବ। ସେହିଭଳି ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେବ। ମୋଟାମୋଟି ଭାବେ କହିବାକୁ ଗଲେ ୯୧ ହଜାର ୮୯୦ ୱାର୍ଡମେମ୍ବର ପଦବି, ୬୭୯୩ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ ଜିଲ୍ଲା ପରିଷଦ ଜୋନର ବିଜେତା  ମାର୍ଚ୍ଚ ୧ ତାରିଖ ଦିନ ଜଣାପଡ଼ିବ।

ଶନିବାର-ରବିବାର ରାତି ୧ଟା ପର୍ଯ୍ୟନ୍ତ ବିଜେଡି ୨୮୧, ବିଜେପି ୧୪, କଂଗ୍ରେସ ୧୫ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଜୋନରେ ଆଗୁଆ ଥିଲେ। ଅନ୍ୟମାନେ ୩ଟି ଆସନରେ ଅଗ୍ରଣୀ ଥିଲେ। ସେହିପରି ରାତି ସୁଦ୍ଧା ୫୭ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଏଥିରୁ ବିଜେଡିକୁ ୩୩ଟି, କଂଗ୍ରେସକୁ ୬ ଓ ବିଜେପିକୁ ୫ଟି ଜୋନରେ ବିଜୟ ମିଳିଛି। ପ୍ରଥମ ଦିନର ଗଣତିର ରାତି ୧ଟା ପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ବିଜେପି ଓ ୨୩ଟି ଜିଲ୍ଲାରେ କଂଗ୍ରେସକୁ ଭଲ ଭୋଟ ମିଳି ନଥିବା କୁହାଯାଉଛି। ତେବେ ଭୋଟ ଗଣତି ଶେଷ ହେଲା ପରେ କିଛି କୁହାଯାଇପାରିବ।

ଭୋଟ ଗଣତି ଜାରି ଥିବାରୁ ନେତାମାନଙ୍କର ହୃଦସ୍ପନ୍ଦନ ବଢ଼ିଯାଇଛି। ସଂପୂର୍ଣ୍ଣ ରୂପେ ଭୋଟ ଗଣତି ଶେଷ ହେବା ପରେ ଦଳୀୟ ପ୍ରଦର୍ଶନ ଉପରେ ସ୍ପଷ୍ଟ ଭାବରେ କୁହାଯାଇ ପାରିବ।