ଆତଙ୍କବାଦର ମୁକାବିଲା କରିବ ଓଡ଼ିଶା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବେଆଇନ ଭାବେ ମୋଟା ଅଙ୍କର ଅର୍ଥ ମିଳୁଥିବାରୁ ରାଜ୍ୟରେ ନକ୍ସଲ ଓ ଦେଶରେ ଆତଙ୍କବାଦ ବଢୁଛି। ତେଣୁ ଆର୍ଥିକ ସହାୟତା ତଥା ଫଣ୍ଡିଂ ବନ୍ଦ ହେଲେ ଆତଙ୍କବାଦ କମିବ। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ଅଧିକାରୀମାନେ ଫଣ୍ଡିଂ ବନ୍ଦ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଏନ୍ଆଇଏ ବା ନ୍ୟାସ୍ନାଲ ଇନଭେଷ୍ଟିଗେସନ ଏଜେନ୍ସି ଡିଜି ଯାଗେଶ ଚନ୍ଦ୍ର ମୋଦୀ କହିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ଆତଙ୍କବାଦ ତଦନ୍ତ ସମ୍ପର୍କୀତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏନଆଇଏ ଡିଜି ଶ୍ରୀ ମୋଦୀ କହିଛନ୍ତି, ଆତଙ୍କବାଦ ମାମଲାର ତଦନ୍ତରେ ଅଧିକ ଟେକ୍ନୋଲୋଜୀ ବ୍ୟବହାର କରାଯାଇ ତଥ୍ୟ ପ୍ରମାଣ ଯୋଗାଡ କରାଯାଇଥାଏ। ଅନେକ ସମୟରେ ଏଭଳି ମାମଲାରେ ଅଭିଯୁକ୍ତ ଧରାପଡ଼ନ୍ତି ନାହିଁ, କାଗଜପତ୍ର ପ୍ରମାଣ ମଧ୍ୟ ମିଳେନି। ତେଣୁ ଫରୋନସିକ ଓ ଟେକ୍ନୋଲୋଜୀକୁ ଆଧାର କରି ଏଭଳି ମାମଲାର ତଦନ୍ତ କରାଯିବ। ତେବେ ଓଡ଼ିଶା ପୁଲିସର ଅଧିକାରୀମାନେ ଅଧିକ ସଂଖ୍ୟାରେ ଏନଆଇଏକୁ ଡେପୁଟେସନରେ ଗଲେ, ନକ୍ସଲ ତଦନ୍ତ କ୍ଷେତ୍ରରେ ତାହା ବେଶ ସହାୟକ ହେବ ବୋଲି ସେ କହିଥିଲେ।

ପୁଲିସ ଡିଜି ବିକେ ଶର୍ମା କହିଥିଲେ, ଓଡ଼ିଶାରେ ଆତଙ୍କବାଦ (ନକ୍ସଲ) ମାମଲାର କେସ କରାଯାଉଛି। ହେଲେ ଏହି ମାମଲାର ତଦନ୍ତ ଟିକେ ଭିନ୍ନ ହୋଇଥିବାରୁ ଏଭଳି ପ୍ରଶିକ୍ଷଣ ଓଡ଼ିଶା ପୁଲିସକୁ ବେଶ ସହାୟକ ହେବ। ତଦନ୍ତ ବେଳେ କେଉଁ ପ୍ରକାର ନୂଆ ଜ୍ଞାନକୌଶଳ ଆପଣା ଯାଇପାରିବ, ସେ ନେଇ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି। ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ୧୦୦ରୁ ଅଧିକ ଅଧିକାରୀ ଯୋଗ ଦେଇଛନ୍ତି। ଏହି ଅଫିସରମାନେ ଆତଙ୍କବାଦ ସମ୍ପର୍କିିତ ମାମଲାର ତଦନ୍ତର କୌଶଳ ଶିକ୍ଷାଲାଭ କରିଛନ୍ତି। ଯାହା ନକ୍ସଲ ମାମଲାର ତଦନ୍ତ କ୍ଷେତ୍ରରେ ସହାୟକ ହେବ। ପୂର୍ବରୁ ଆତଙ୍କବାଦ ତନ୍ତ୍ର ଟ୍ରେନିଂ ଦିଲ୍ଲୀରେ କରାଯାଉଥିଲା। ସେଠାରେ ଅଧିକ ସଂଖ୍ୟାରେ ପୁଲିସ ଅଧିକାରୀ ଯାଇପାରୁନଥିଲେ। ତେଣୁ ଚଳିତ ଥର ଏନଆଇଏ ଡିଜିଙ୍କୁ ଓଡ଼ିଶା ଆସି ପ୍ରଶିକ୍ଷଣ ଦେବାକୁ ଅନୁରୋଧ କରାଯାଇଥିଲା। ଅନୁରୋଧ ରକ୍ଷା କରି ସେ ଆସି ଏଠାରେ ଏକ କର୍ମଶାଳାରେ ଯୋଗ ଦେଇଛନ୍ତି।
ଉଲ୍ଲେଖଥାଉ କି, ଆତଙ୍କବାଦୀଙ୍କ କଳାଛାୟାରୁ ସର୍ବଦା ଦୂରରେ ଥିବା ଓଡ଼ିଶା ଏବେ ନିରାପଦ ନୁହେଁ। ବିନା ବାଧାରେ ଓଡ଼ିଶାରେ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ୍) ଆତଙ୍କବାଦୀ ସଂଗଠନର ସଦସ୍ୟ ଆସି ଭୁବନେଶ୍ୱର ଓ ପୁରୀରେ ରହି ଫେରିଯାଇଛନ୍ତି। ଫଳରେ ଏବେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ଓଡ଼ିଶା ପୁଲିସ ଏଡ଼ାଇ ଦେଇ ନପାରେ। ଅନେକ ସମୟରେ ଆତଙ୍କବାଦୀ ଓଡ଼ିଶାକୁ ଟାର୍ଗେଟ କରୁଥିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ରିପୋର୍ଟ ଦେଇଛି। ନିକଟରେ ଜୈସ-ଇ-ମହମ୍ମଦ ଆତଙ୍କବଦୀ ସଂଗଠନ ସମୁଦ୍ରତଟ ଦେଇ ଓଡ଼ିଶାରେ ଅନୁପ୍ରବେଶ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିଲା। ତେଣୁ ଓଡ଼ିଶା ଏବେ ଆତଙ୍କବାଦୀଙ୍କ ନଜରରେ ଥିବାରୁ ଏହାର ତଦନ୍ତ ପ୍ରକ୍ରିୟା ଶିଖିବା ପୁଲିସ ପାଇଁ ଜରୁରୀ ହୋଇପଡିଛି।