‘ଶାସକ ଦଳର ଏଜେଣ୍ଟ୍ ଭାବେ କାମ କରୁଛନ୍ତି ଅଫିସର’: ସିଂଲା ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବସ୍ତା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ସରକାରୀ ବାବୁଙ୍କ ସହଯୋଗରେ ମତଦାନ ସମୟରେ ବ୍ୟାପକ ଜାଲିଆତି, ବୁଥ୍ ଦଖଲ, ଧମକ ଚମକ ଇତ୍ୟାଦି ଘଟଣା ଘଟିଛି। ସ୍ୱାଧୀନ ଓ ନିରପେକ୍ଷ ମତଦାନକୁ ସାବ୍ୟସ୍ତ କରିବା କ୍ଷେତ୍ରରେ ନିର୍ବାଚନ କମିଶନ ସରକାରୀ ଅଫିସରଙ୍କୁ ଯେଉଁ ଦାୟିତ୍ୱ ଦେଇଥିଲେ। ସେଥିରେ ସେମାନେ କେବଳ ଅବହେଳା କରି ନାହାନ୍ତି, ଅପରନ୍ତୁ ଶାସକ ଦଳ ସହିତ ମିଶି ମତଦାନ ପ୍ରକ୍ରିୟାକୁ ବିଭ୍ରାନ୍ତ ଓ ପ୍ରଭାବିତ କରି ଏଜେଣ୍ଟ୍ ଭାବେ କାର୍ଯ୍ୟ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ସିଂଲା ଥାନା ଅଧିକାରୀ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଜଳେଶ୍ୱର ନେତା ତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ କହିଛନ୍ତି।

ବସ୍ତା ବ୍ଲକ୍‌ର କାଦରୟାନ, କାରୁଆ ଇତ୍ୟାଦି ବୁଥ୍‌ରେ ତାଙ୍କ ସହଯୋଗ ଓ ପ୍ରରୋଚନାରେ ବୁଥ ଦଖଲ, ରିଗିଂ, ଫଲ୍‌ସ ଭୋଟିଂ ହୋଇଛି। କାଦରାୟାନର ୭, ୮, ୯ ନମ୍ୱର୍ ବୁଥ୍ ସମେତ ଅନ୍ୟାନ୍ୟ ବୁଥ୍ ଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠାରେ ବ୍ୟାପକ ହିଂସା କାଣ୍ଡ ଓ ପୋଡ଼ା ଜଳା ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବୁଥ୍ ଦଖଲ ଓ ରିଗିଂ ହୋଇଥିବା ଯୋଗୁଁ ପୁନଃ ନିର୍ବାଚନ ହୋଇଥିଲା। ଏ କଥାକୁ ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଭଲ ଭାବରେ ଜାଣିଥିବା ସତ୍ୱେ ଏଠାରେ କୌଣସି ପ୍ରତିକାର କଲେ ନାହିଁ। ଏପରିକି ନିର୍ବାଚନ ପୂର୍ବରୁ ଏଠାରେ ଫ୍ଲାଗ୍ ମାର୍ଚ୍ଚ କରି ନାହାନ୍ତି। ଶାସକ ଦଳର ୧୬ ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ବ୍ୟବସାୟରେ ଆଇଆଇସିଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ରହିଛି। ବିଭିନ୍ନ ବୁଥ୍‌ରେ ଜବରଦସ୍ତ କିଛି ଲୋକ ଅନ୍ୟମାନଙ୍କ ଭୋଟ ଦେଇଛନ୍ତି। ତାଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସେ ଏହାକୁ ଏଡ଼ାଇ ଯାଇଛନ୍ତି। ପଞ୍ଚାୟତର ସମସ୍ତ ୧୮ଟି ବୁଥ୍ ସମେତ ଅନ୍ୟ ପଞ୍ଚାୟତର ଯେଉଁ ବୁଥ୍‌ରେ ଜାଲିଆତି ହୋଇଛି ସେଠାରେ ପୁନଃ ଭୋଟ ଦାବି କରାଯାଇଛି।

ସେହିପରି କରୁଆ ପଞ୍ଚାୟତରେ ସାନ ପଢ଼ିଆରିପୁର ଗାଁରେ ଶାସକ ଦଳର ଲୋକ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଏଜେଣ୍ଟକୁ ବସିବାକୁ ଦେଇ ନାହାନ୍ତି। ଏଠାରେ ମୃତ ବ୍ୟକ୍ତି ଓ ଉପସ୍ଥିତ ନଥିବା ବ୍ୟକ୍ତିଙ୍କ ଭୋଟ ଦିଆଯାଇଛି । କଂଗ୍ରେସ କର୍ମୀଙ୍କୁ ଅଟକ ରଖି ଧମକ ଚମକ୍ ଦିଆଯାଇଛି। ଦାୟିତ୍ୱରେ ଥିବା ପୁଲିସ ଅଫିସର ସିଂଲା ଥାନା ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କିଛି ନ ଶୁଣି ଏହାକୁ ଏଡ଼ାଇ ଦେଇଥିଲେ। ଯେଉଁ ସବୁ ପଞ୍ଚାୟତର ବୁଥ୍ ଗୁଡ଼ିକରେ ଏ ଭଳି ଅଭିଯୋଗ ଆସିଛି, ତାର ବିହିତ ତଦନ୍ତ ସହିତ ସେହି ସ୍ଥାନରେ ପୁନଃ ମତଦାନ, କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀ ଯଥା ସିଂଲା ଆଇଆଇସି, ବସ୍ତା ତହସିଲଦାର, ବିଡ଼ିଓ ଇତ୍ୟାଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଦାସ ଦାବି କରିଛନ୍ତି।