ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ଦିନ ୧ଟା ଯାଏଁ ଚାଲିବ ଭୋଟିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି। ଆଜି ସକାଳ ୭ଟାରୁ ପ୍ରଥମ ପର୍ଯ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି। ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି। ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ। ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି। ମତଦାନ ଦିନ ୧ଟା ଯାଏଁ ଜାରି ରହିବ।

ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ପୋଲିସ ମୁତୟନ ଅଛନ୍ତି। ପାଟ୍ରୋଲିଂ ଟିମ୍ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମତଦାନ ଭିତରକୁ ମତଦାତାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ପୋଲିସ ସମ୍ବେଦନଶୀଳ ବୁଥ ଉପରେ ଅଧିକ ନଜର ରଖିଛି। ରାଜ୍ୟରେ ୩୩୫୭ଟି ବୁଥ ସମ୍ବେଦନଶୀଳ ହୋଇଥିବା ବେଳେ ୧୯ ହଜାର ୨୨ଟି ଅଣସମ୍ବେଦନଶୀଳ ବୁଥ୍।

ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯାଉଛି । ମୋଟ ୬୭ ଲକ୍ଷ ୫୧ ହଜାର ମତଦାତା ଭୋଟ ଦେବେ। ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିବାକୁ ଯାଉଛନ୍ତି, ସେମାନେ ପ୍ରଥମେ ଭୋଟର ତାଲିକା ଦେଖୁଛନ୍ତି। ନିର୍ବାଚନ ପରିଚୟ ପତ୍ର ଦେଖାଇ ବୁଥ ଭିତରକୁ ପ୍ରବେଶ କରୁଛନ୍ତି। ଯଦି କୌଣସି କାରଣରୁ ଭୋଟ ପରିଚୟ ପତ୍ର ପାଖରେ ନାହିଁ, ତାହେଲେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଲାଭ କରିଥିବା ୧୩ଟି ଦସ୍ତାବିଜ (ପାନକାର୍ଡ, ଆଧାରକାର୍ଡ, ନରେଗା କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି) ମଧ୍ୟରୁ ଯେ କୌଣସି ମଧ୍ୟରୁ ଗୋଟିଏ ନେଇଯାଇଯାଉଛନ୍ତି। ତେବେ ରାଜ୍ୟରେ କରୋନା ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇ ନଥିବାରୁ ମତଦାନ କେନ୍ଦ୍ରରେ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି।