ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମା ଝଡ଼ ଏବଂ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଅତ୍ୟଧିକ ମାତ୍ରାରେ ପ୍ରବେଶ କରୁଥିବା ଉଷ୍ମ-ଜଳୀୟବାଷ୍ପର ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଘଡ଼ଘଡ଼ି ସାଙ୍ଗକୁ କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ସମେତ ଆଖପାଖ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ିର ଆଶଙ୍କା ରହିଛି।
ସେହିଭଳି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଆଦି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାକୁ ୪ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ କୃଷିକାର୍ଯ୍ୟ ଉପରେ ବ୍ୟାପକ ପ୍ରଭାବ ପଡ଼ିବ। ଏହି ସକାଶେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି ପାଣିପାଗ ବିଭାଗ। ଅମଳ ଉପଯୋଗୀ ହରଡ଼, ବନ୍ଧାକୋବି, ଫୁଲକୋବି ତଥା ଅନ୍ୟାନ୍ୟ ପନିପରିବାକୁ ଅମଳ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି।
ସେହିଭଳି ଶୀତଦିନିଆ ଡାଲି ଜାତୀୟ ବିହନ(ମୁଗ,ବିରି ପ୍ରଭୃତି) ଏବଂ ତୈଳବିହନ ବୁଣା ବୁଣି ଆଗକୁ ଏକ ସପ୍ତାହ ସାମୟିକ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି। ଟମାଟ, ଲଙ୍କା, ପିଆଜ, କୋବି ଆଦି ପରିବାକୁ ପଲିଥିନ ଦ୍ୱାରା ଆଚ୍ଛାଦିତ କରିବା ସାଙ୍ଗକୁ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ନାଳି ବ୍ୟବସ୍ଥା କରିବାକୁ ଚାଷୀଙ୍କୁ କୁହାଯାଇଛି। ସେହିଭଳି ସାମୟିକ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ସ୍ଥଗିତ ରଖିବାକୁ ମଧ୍ୟ ଚାଷୀଙ୍କୁ ପାଣିପାଗ ବିଭାଗ ଜଣାଇଛି। ତାପମାତ୍ରା କଥା ଦେଖିଲେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ସହ ଶୀତ କମିଛି।
ଫୁଲବାଣୀରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦.୭ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ କିରେଇରେ ୧୦.୫ ଡିଗ୍ରୀ, ଦାରିଙ୍ଗବାଡ଼ି ହିଲଷ୍ଟେସନରେ ୧୦.୦ ଡିଗ୍ରୀ, ଜି ଉଦୟଗିରିରେ ୯.୬ ଡିଗ୍ରୀ ଥିଲା ତାପମାତ୍ରା। ଭୁବନେଶ୍ୱର ସହରରେ ରାତ୍ରି ତାପମାତ୍ରା ଥିଲା ୧୮.୦ ଡିଗ୍ରୀ। ଅନ୍ୟପଟେ ଆଜି ବଲାଙ୍ଗିରରେ ୩୨.୫ ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ ସୋନପୁର ୩୨.୩ ଡିଗ୍ରୀ, ଟିଟିଲାଗଡ଼ରେ ୩୨.୨ ଡିଗ୍ରୀ, ଭବାନୀପାଟଣାରେ ୩୨ ଡିଗ୍ରୀ , ଭୁବନେଶ୍ୱରରେ ୩୦.୫ ଡିଗ୍ରୀ ଏବଂ କଟକରେ ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ରାଜ୍ୟର ସବୁ ସ୍ଥାନରେ ପାଗ ଶୁଖିଲା ରହିଥିବା ବେଳେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଏବଂ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।