ଭୁବନେଶ୍ବର,ଏନ୍ଏନ୍ଏସ୍: ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ବିରୋଧ କଲା ଓଡିଶା।
ଏନେଇ ଆଜି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ସାଂସଦ ଅମର କହିଛନ୍ତି ଆଇନ ସଂଶୋଧନ ହେଲେ ଆଇଏଏସ ଏବଂ ଆଇପିଏସ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ। ଏହା ଅଫିସରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ। ରାଜ୍ୟ ସରକାରଙ୍କ ଯୋଜନା ମାନ ମଧ୍ୟ ପ୍ରଭାବିତ ହେବ ବୋଲି ଓଡିଶା ସରକାର ଦର୍ଶାଇଛନ୍ତି।
ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାର ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ ସଂଶୋଧନ କରିବାକୁ ପ୍ରସ୍ତାବ ରଖିଛନ୍ତି। ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଆଜି ସୁଦ୍ଧା ମତାମତ ମାଗିଥିଲେ। ହେଲେ ଅଧିକାଂଶ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି। ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନା ଭଳି ରାଜ୍ୟ ପୂର୍ବରୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।