ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିକୁ ଭୋଗଦଖଲ କରିଥିବା ଲୋକମାନେ ଏଣିକି ଏହି ସ୍ଥାବର ସମ୍ପତ୍ତିର ମାଲିକାନା ସହଜରେ ପରିବର୍ତ୍ତନ କରିପାରିବେ । ଏହି ସ୍ୱତ୍ୱ ପରିବର୍ତ୍ତନ ସଂପର୍କୀତ ମାମଲା ଗୁଡ଼ିକର ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଧିଷ୍ଟ କେତେକ ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି । ସରକାରଙ୍କ ବିନା ଅନୁମୋଦନରେ ସେମାନେ ଜମିର ହସ୍ତାନ୍ତରୀକରଣ ପାଇଁ ଅନୁମତି ଦେଇପାରିବେ । ରାଜ୍ୟ ସରକାର ଏନେଇ ଆଣିଛନ୍ତି ଅଧ୍ୟାଦେଶ । ସେଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି ।
ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନିଆଯ।।ଇଛି । ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତରେ ରାଜ୍ୟ ଆଇନ, ପଞ୍ଚାୟତିରାଜ୍ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଦୀର୍ଘ ବର୍ଷରୁ ମହାପ୍ରଭୁଙ୍କ ଜମିକୁ ଭୋଗ ଦଖଲ କରୁଥିବା ଲୋକମାନେ ଏହି ଜମିର ସ୍ୱତ୍ୱ ପରିବର୍ତ୍ତନ ନେଇ ନାନା ସମସ୍ୟାରେ ପଡ଼ୁଥିଲେ । ଆଇନର ପ୍ରତିବନ୍ଧକ ଯୋଗୁଁ ଜମି ବିକ୍ରି ବା ଲିଜ୍ ସମ୍ଭବ ହେଉ ନଥିଲା । କ୍ୟାବିନେଟ୍ ନିଷ୍ପତ୍ତ୍ି ବଳରେ ଏଣିକି ତାହା ହୋଇପାରିବ ।
ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୪ ଧାରା ୧୬(୨) ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତିକୁ ଅଧିକୃତ ପ୍ରଜାମାନଙ୍କୁ କିମ୍ବା ଅନ୍ୟ ପ୍ରଜାଙ୍କୁ ବିକ୍ରୟ, ଲିଜ୍ କିମ୍ବା ‘ମଡ୍ଗେଜ’ ଆକାରରେ ହସ୍ତାନ୍ତର କରିବା ପାଇଁ ସରକାରଙ୍କର ପୂର୍ବ ଅନୁମୋଦନ ଦରକାର ପଡ଼ୁୁଥିଲା । ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ସରକାରଙ୍କର ଅନୁମୋଦନ ଦରକାର ପଡ଼ିବନାହିଁ । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସଂଶୋଧିତ ନିୟମର ଆବଶ୍ୟକୀୟ ସଂଶୋଧନ କରାଯାଇ କେତେକ ସରକାରୀ ଅଧିକାରୀଙ୍କୁ କ୍ଷମତାପ୍ରାପ୍ତ କରାଯାଇଛି । ସେମାନେ ହେଉଛନ୍ତି ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପ ପ୍ରଶାସକ ଇତ୍ୟାଦି । ସେମାନେ ସରକାରଙ୍କର ବିନା ଅନୁମୋଦନରେ ନିର୍ଦ୍ଧିଷ୍ଟ ପରିମିତ ଜମିର ହସ୍ତାନ୍ତରୀକରଣ ପାଇଁ ଅନୁମତି ଦେଇପାରିବେ ବୋଲି ଶ୍ରୀ ଜେନା କହିଛନ୍ତି ।