ଆଜି ରାଜଧାନୀରୁ ୮୭ ଜଣ କରୋନା ପଜିଟିଭ, ୨୩୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜକୁ କିଛିଦିନ ହେଲା ରାଜଧାନୀରୁ କରୋନା ସଂକ୍ରମଣ ଖୁବ୍ ତଳକୁ ଖସିଆସିଛି। ସେହିପରି ପ୍ରତିଦିନ ୨ ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ଭୁବନେଶ୍ୱର ମହାନଗର ନଗମ ଦ୍ୱାରା ପରିଚାଳିତ ହେଉଥିବା କରୋନା ବିଭାଗର ସୂଚନା ଅନୁସାରେ ଆଜି ରାଜଧାନୀରୁ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରର ୧୯ ଜଣ ଥିବାବେଳେ ଲୋକାଲରୁ ୬୮ ଜଣ ରହିଛନ୍ତି। ଅନ୍ୟପଟେ ଆଜି ପୁଣି ୨୩୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖଣ୍ଡଗିରିରୁ ୪ ଜଣ ଏବଂ ବରମୁଣ୍ଡା ଓ ନୟାପଲ୍ଲୀରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି ଲୋକାଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଶୈଳଶ୍ରୀ ବିହାର ଓ ୟୁନିଟ-୬ ଅଞ୍ଚଳରୁ ୫ ଜଣ ଲେଖାଏଁ ଏବଂ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଅଞ୍ଚଳରୁ ୪ ଜଣ ଲେଖାଏଁ ରହିଛନ୍ତି।

ଏଥିସହିତ ଭୁବନେଶ୍ୱରର ମୋଟ କରୋନା କେସ ୨୯,୦୭୨ରେ ପହଞ୍ଚିଛି। ସେଥିରୁ ୨୭,୩୧୭ ଜଣ ସୁସ୍ଥ ଓ ୧୬୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ୧୫୭୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।