ଓକାକ ସିଇଓଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷ ଠକେଇ, କ୍ରାଇମବ୍ରାଞ୍ଚର ଛାନଭିନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଦୃଶ୍ୟ ଠକର ଜାଲରେ ଏଥର ଓକାକ୍। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର- ଓକାକର ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ଠକେଇ। ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଘଟଣାର ଛାନଭିନ୍ ଆରମ୍ଭ କରିଛି ପୋଲିସ। କ୍ରାଇମବ୍ରାଞ୍ଚ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରିଛି। ୨ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛି।

ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍‌। ୩୦ ସେକେଣ୍ଡରେ ଠକି ନେଲେ ୭ ଲକ୍ଷ ଟଙ୍କା। ଚିକିତ୍ସା ଆଳରେ ସାଇବର ଅପରାଧୀ ପକାଇଥିଲା ଫାଶ। ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟମାନଙ୍କୁ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିଲା। କର୍ମଚାରୀମାନେ ସତ ଭାବି ଜଣେ ୫ ଲକ୍ଷ ଓ ଆଉ ଜଣେ ୨ ଲକ୍ଷ ଟଙ୍କା ପଠାଇଥିଲେ। ଶେଷରେ ଖୋଳତାଡ଼ ବେଳେ ଜଣା ପଡ଼ିଥିଲା ଯେ ମନୋଜ ପଟ୍ଟନାୟକଙ୍କ ଶରୀର ଅସୁସ୍ଥ ହୋଇନି। ସାଇବର ଅପରାଧୀ ହ୍ୱାଟ୍ସଆପ୍ ନମ୍ବରକୁ ହ୍ୟାକ କରି ମେସେଜ ପଠାଇ ଟଙ୍କା ଠକିଛନ୍ତି।

ସହିଦ ନଗର ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦକ୍ଷିଣ ଭାରତୀୟ ରାଜ୍ୟର ଏକ ସର୍ଭିସ ପ୍ରୋଭାଇଡର ନମ୍ବରରୁ ମେସେଜ ଆସିଥିଲା। ଟଙ୍କା ଯାଇଥିବା ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖିବା ସହ ମୋବାଇଲ୍ ନମ୍ବର ଓ ଆକାଉଣ୍ଟକୁ ଫ୍ରିଜ କରିବା ପାଇଁ ପୋଲିସ କହିଛି। କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨ ଜଣିଆ ଟିମ୍ ଓକାକରେ ପହଞ୍ଚି ଛାନଭିନ୍ କରୁଛନ୍ତି। କେଉଁ ସର୍ଭିସ ପ୍ରୋଭାଇଡରରୁ ମେସେଜ୍ ଆସିଥିଲା, ଟଙ୍କା କେଉଁଠାକୁ ଯାଇଛି ? ଅଭିଯୋଗକାରୀଙ୍କ ବୟାନ ନେଇଛି କ୍ରାଇମବ୍ରାଞ୍ଚ।

ସେପଟେ ହ୍ୱାଟ୍ସଆପ୍ ହ୍ୟାକ ନେଇ ପ୍ରତିକ୍ରିୟା ଦେଇଛନ୍ତି ସାଇବର ଏକ୍ସପର୍ଟ। ହ୍ୱାଟ୍ସଆପରେ ୬ ଡିଜିଟ କୋଡ୍‌, କ୍ୟୁଆର କୋଡ୍,‌ ମୋବାଇଲ ଫ୍ରି ଚାର୍ଜିଂ ପଏଣ୍ଟ, ଫ୍ରି ୱାଇ ଫାଇ ଏବଂ ଏସଏମଏସ ଲିଙ୍କରେ କ୍ଳିକ୍‌ କଲେ ହ୍ୟାକ୍‌ ହେବ। କିଛିଦିନ ହେଲା ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ଟାର୍ଗେଟ୍‌ କରୁଛନ୍ତି ସାଇବର ଠକ। ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ କରି କିମ୍ବା ଫେକ୍ ଆକାଉଣ୍ଟ କରି ସେମାନଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ଆସୁଛି। ଏଭଳି ଠକେଇ ଏଡ଼ାଇବାକୁ ସତର୍କ ରହିବା ପାଇଁ ପୋଲିସ ପରାମର୍ଶ ଦେଇଛି।