ରାଜ୍ୟରେ ସର୍ବାଧିକ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ: ସଂଖ୍ୟା ୧୦ ହଜାରକୁ ଟପିଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୦ ହଜାର ୪୭୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୬୧୨ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୭୦, ସୁନ୍ଦରଗଡ଼ରୁ ୮୪, କେଉଁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁରରୁ ୧୦ ଲେଖାଏଁ ରହିଛନ୍ତି। ସେହିପରି ବରଗଡ଼ ଓ ପୁରୀରୁ ୬ ଲେଖାଏଁ, ବଲାଙ୍ଗିରରୁ ୫, କେନ୍ଦ୍ରାପଡ଼ାରୁ ୩, କଳାହାଣ୍ଡି ଓ କନ୍ଧମାଳରୁ ୨ ଲେଖାଏଁ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮ ହୋଇଥିବାବେଳେ ୧୦ ହଜାର ୪୭୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭୭ଜଣଙ୍କର ମୃତ୍ୟୁ ଘଟିଛି ଓ ୪,୩୨୧ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।