୨୦୨୧-୨୨ରୁ ରାଜ୍ୟରେ ଆରମ୍ଭ ହେବ ‘ଗଣିତ କଳିକା’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୦୨୧-୨୨ରୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗଣିତ ବିଷୟରେ ଅଧିକ ଦକ୍ଷ ଏବଂ ପାରଙ୍ଗମ କରିବାପାଇଁ ରାଜ୍ୟ ସରକାର ‘ଗଣିତ କଳିକା’ ନାମରେ କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ପ୍ରାଥମିକ ସ୍କୁଲଗୁଡ଼ିକରେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ମୋଟ୍ ୬କୋଟି ୯୯ଲକ୍ଷ ଟଙ୍କା ବ୍ୟୟ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୩୪୬୪୨ ସ୍କୁଲକୁ ଏଥିରେ ସାମିଲ କରାଯିବ।

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ୩୬ହଜାର ୭୦ ସ୍କୁଲ ରହିଛି। ତେବେ ଏହି ପ୍ରାଥମିକଶିକ୍ଷାରେ ମୋଟ୍ ପିଲାଙ୍କ ସଂଖ୍ୟା ୩୭ଲକ୍ଷ ୭୧ହଜାର ୨୪୯ ରହିଛି। ପ୍ରାଥମିକ ଶିକ୍ଷାରେ ପଢ଼ୁଥିବା ପିଲାମାନେ ଅନେକ ବିଷୟରେ ଦୁର୍ବଳ ହୋଇଥିବା ବେଳେ ସର୍ବାଧିକ ଗଣିତରେ ଦୁର୍ବଳ ହୋଇଛନ୍ତି। ୪ର୍ଥ ଓ ୫ମଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୮୦ପ୍ରତିଶତ ପିଲା ଗଣିତରେ ଦୁର୍ବଳ ଥିବା ବେଳେ ୭୨ପ୍ରତିଶତ ପିଲା ଠିକ୍ ଭାବେ ଗଣିତ ସୂତ୍ର ସମ୍ପର୍କରେ ଅବଗତ ହୋଇନଥାନ୍ତି। ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହୋଇଛି।

ପ୍ରଥମଥର ଲାଗି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଗଣିତରେ ଦକ୍ଷତା ବଢ଼ାଇବାସହ ସେମାନଙ୍କୁ ମାଷ୍ଟର ଇନ୍ ମାଥମେଟିକ୍ସର ପରିଚୟ ଦେବାକୁ ଲକ୍ଷ୍ୟ ରଖିଛି ବିଭାଗ। ସେଥିପାଇଁ ‘ଗଣିତ କଳିକା’ ନାମରେ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ତାହା କାର୍ଯ୍ୟକାରୀ ହେବାପରେ ଏହି ଯୋଜନାରେ ଦେଶରେ ଓଡ଼ିଶା ୩ୟ ରାଜ୍ୟ ଭାବେ ମାନ୍ୟତା ପାଇବ। ପୂର୍ବରୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଲହି ‘ଗଣିତ କଳିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବାଙ୍ଗାଲୋରର ‘ଅକସରା ଫାଉଣ୍ଡେସନ’ ପକ୍ଷରୁ ପିଲାଙ୍କୁ ଗଣିତ କିଟ୍ ପ୍ରଦାନ କରାଯିବ। ତେବେ ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ ‘ଗଣିତ କଳିକା’ କାର୍ଯ୍ୟକ୍ରମ ରାୟଗଡ଼ା ଏବଂ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା।