ଦିନକରେ ଆଜି ୫୨୬ କରୋନାରେ ସଂକ୍ରମିତ, ୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୨୬ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୬୮ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୩୦୩ଜଣ ଓ ସ୍ଥାନୀୟ ସଂକ୍ରମଣ ୨୨୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାର ୪୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୩, କଟକରୁ ୬୩, ଷ୍ଟେଟପୋଲରୁ ୫୫, ବାଲେଶ୍ୱରରୁ ୩୩, ମୟୁରଭଞ୍ଜରୁ୨୯, ସୁନ୍ଦରଗଡ଼ରୁ ୧୯, ଜଗତସିଂହପୁରରୁ ୧୬, କେନ୍ଦ୍ରାପଡ଼ାରୁ ୧୪, ଯାଜପୁରରୁ ୧୩, ପୁରୀରୁ ୧୧, ସମ୍ବଲପୁରରୁ ୭, କୋରାପୁଟରୁ ୪ ,ଅନୁଗୁଳ, ଭଦ୍ରକ, ଦେଓଗଡ଼, ଗଞ୍ଜାମ ଓ କନ୍ଧମାଳରୁ ୩ ଲେଖାଏଁ ରହିଛନ୍ତି। ଅନ୍ୟପଟେ ବରଗଡ଼, ମାଲକାନଗିରି, ରାୟଗଡ଼ା, ନୟାଗଡ଼ ଓ ଗଜପତିରୁ ୨ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ସୋନପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସେହିପରି କରୋନା ଯୋଗୁ ୪ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ନବରଙ୍ଗପୁରରୁ ୨ ଏବଂ ବଲାଙ୍ଗିର ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୨୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାର ୪୪ ହୋଇଥିବାବେଳେ ୧୦ଲକ୍ଷ ୧୭ହଜାର ୭୧୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୨୪୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୫,୦୩୫ଜଣ ଚିକିତ୍ସିତ ହେଉଛନ୍ତି।