ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫ % ଅଧିକ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ମୌସୁମୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରରୁ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୧ ହଜାର ୮ ମିମି ବର୍ଷା ହେବ ବୋଲି ଆକଳନ କରାଯାଇଥିବା ବେଳେ ୧ ହଜାର ୫୬ ମିଲିମିଟର ବର୍ଷା ହୋଇସାରିଛି। ଯାହାକି ଗତ ଜୁନ୍ ଜୁଲାଇରେ ହୋଇଥିବା ୧୭.୭ ମିଲିମିଟର ନିଅଣ୍ଟିଆ ବର୍ଷାକୁ ଭରଣା କରିବା ସହ ଚାଷ କାମ ପାଇଁ ଉପଯୁକ୍ତ ଜଳ ଯୋଗାଇଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି ଯେ, ରବିବାର ସୁଦ୍ଧା ରାଜ୍ୟରେ ୯୯୯ ମିମି ବର୍ଷା ହେବା କଥା ମାତ୍ର ଏହି ପରିମାଣରେ ବୃଦ୍ଧି ଘଟି ୧୦୫୦ ମିମି ବର୍ଷା ହୋଇଛି। ତେବେ ସେପ୍ଟେମ୍ବର ମାସରେ ମଧ୍ୟ ସମାନ ଭାବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ଗତ ଜୁନ୍ ଓ ଜୁଲାଇ ମାସରେ ଓଡ଼ିଶାର ୧୭ଟି ଜିଲ୍ଲା ଯଥା ଝାରସୁଗୁଡ଼ା, ନୟାଗଡ଼, ଢେଙ୍କାନାଳ, ନୂଆପଡ଼ା, ଯାଜପୁର, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଗଜପତି, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଥିଲା। ମାତ୍ର ବର୍ତ୍ତମାନ ଏହି ଜିଲ୍ଲାଗୁଡ଼ିକରେ ଭଲ ବର୍ଷା ହୋଇଥିବା ବେଳେ କେବଳ ବାଲେଶ୍ୱର ଓ ଦେବଗଡ଼ ଜିଲ୍ଲାରେ ସ୍ୱାଭାବିକଠାରୁ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି।