ଶବ ନେବାକୁ ୫ ଘଣ୍ଟା ସଂଘର୍ଷ

ଦିଗପହଣ୍ଡି,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମର ପି.ଭାସ୍କର ରେଡ୍ଡୀ(୬୦)ଙ୍କ ମଙ୍ଗଳବାର ଭୁବନେଶ୍ୱରର  ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କିନ୍ତୁ ଡାକ୍ତରଖାନାରୁ ଶବ ହସ୍ତାନ୍ତର ପାଇଁ ପରିବାର ବର୍ଗଙ୍କୁ ଅପେକ୍ଷା କରିବାକୁ ପଡିଥିଲା ୫ ଘଣ୍ଟା। ଶବ ନେବା ପାଇଁ ଡାକ୍ତର ଓ ଦଲାଲ୍ ଦାବି କରିଥିଲେ ୮୮ ହଜାର ଟଙ୍କା। ଗରିବ ଅସହାୟ ପରିବାରଙ୍କ ପାଖରେ ଏତେ ଟଙ୍କା ଡାକ୍ତରଙ୍କୁ ଦେବା ପାଇଁ ସମ୍ଭବପର ହୋଇନଥିଲା। ସମାଜସେବୀ ଉତ୍ତମ ପାଣିଗ୍ରାହୀ ହସ୍ତକ୍ଷେପ କରିବା ପରେ ରାତ୍ର ୧୨ଟାରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ବୁଧବାର ଭୋରରେ ଗାଁ ଶ୍ମଶାସନରେ ଶବ ସତ୍କାର କରାଯାଇଛି।

ମୃତ ଭାସ୍କର ରେଡ୍ଡୀଙ୍କ ଦୁଇ ଜ୍ୱାଇଁ ଡି.ସୂର୍ଯ୍ୟ ଓ ଏ.ଭୀମ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଗତ ୨୮ ତାରିଖରେ ଗୁରୁତର ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ ମେଡିକାଲ ଭର୍ତ୍ତି କରିଥିଲେ। ଶ୍ୱଶୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କୁ ଅନୁରୋଧ କରି ସେଠାରୁ ଭୁବନେଶ୍ୱର ଏମ୍ସକୁ ନେଇଯାଇଥିଲେ। ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ ସେଠାରେ ଥିବା ଜଣେ ଦଲାଲ୍ ଏହା ଅପେକ୍ଷା ବାଣୀବିହାର ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଭଲ ହୋଇପାରିବ ବୋଲି ପ୍ରବର୍ତ୍ତାଇ ଥିଲେ। ଦଲାଲ୍ କଥାରେ ପଡି ସେମାନେ ତାଙ୍କ ଶ୍ୱଶୁରଙ୍କୁ ସେଠାରେ ଭର୍ତ୍ତି କରିଥିଲେ। ସେତେବେଳକୁ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟବସ୍ଥା ସାଙ୍ଘାତିକ। ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ତଥାପି ସମ୍ପୃକ୍ତ ଡାକ୍ତର ଏକାଥରକେ ୪ଟି ରକ୍ତ ସଂଗ୍ରହ କରିବା ପାଇଁ ପରାମର୍ଶ ଦେଇଥିଲେ। ତାହାପୁଣି ୬ ନଂରେ ଥିବା ଏକ ଘରୋଇ ହସ୍ପିଟାଲରୁ ଆଣିବା ପାଇଁ ସୁପାରିଶ କରିଥିଲେ। ଅନିଛା ସତ୍ତେ୍ୱ୍ନ ବାଧ୍ୟ ହୋଇ ୧୨ ହଜାର ଟଙ୍କା ଦେଇ ରକ୍ତ ଆଣିଥିଲେ ମଧ୍ୟ କୌଣସି କାମରେ ଆସିନଥିଲା। ସନ୍ଧ୍ୟା ୭ଟା ୪୫ରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶବନେବା ପାଇଁ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସକୁ ଡାକିଥିଲେ। ଯେତେବେଳେ ଶବ ନେବା ପାଇଁ ଉଦ୍ୟମ ହେଲା ସମ୍ପୃକ୍ତ ଡାକ୍ତର ଚିକିତ୍ସା ଖର୍ଚ୍ଚ ବାବଦକୁ ୮୮ ହଜାର ଟଙ୍କା ଦାବି କରିଥିଲେ। ଏତେ ଟଙ୍କା ଏମାନଙ୍କ ପାଖରେ ନଥିଲା। ଟଙ୍କା ନଦେଲେ ଶବ ହସ୍ତାନ୍ତର କରାଯିବ ନାହିଁ ବୋଲି ଡାକ୍ତର ରୋକ ଠୋକ୍ କହିଥିଲେ। ପରିବାର ଲୋକେ ଶବକୁ ନେବା ପାଇଁ ବହୁତ ବିନତି କରିଥିଲେ ସୁଦ୍ଧା ଡାକ୍ତର କୌଣସି କଥା ଶୁଣିନଥିଲେ।  ସମାଜସେବୀ ଉତ୍ତମ ପାଣିଗ୍ରାହୀ ହସ୍ତକ୍ଷେପ କରିବା ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର ହୋଇଥିଲା।