ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮୮ କରୋନା ରୋଗୀ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୮୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୭ ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୦୩ ରହିଛି। ଅନ୍ୟପଟେ ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି।

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪, ମୟୂରଭଞ୍ଜରୁ ୧୯, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ ରହିଥିବା ବେଳେ ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୪୫୭ରେ ପହଞ୍ଚିଛି। ସେଥିରୁ ୧୦ ଲକ୍ଷ ୨୮ ହଜାର ୬୯୭ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୪ ହଜାର ୩୭୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୮ ହଜାର ୩୩୩ ଜଣଙ୍କର ମୃତ୍ୟୁ ହୋଇସାରିଛି।