‘କବିତା ମାଧ୍ୟମରେ ସମାଜରେ ପରିବର୍ତ୍ତନ ସମ୍ଭବ’

କିଟରେ ୩୯ତମ ବିଶ୍ୱ କବି ମହାକୁମ୍ଭ ଉଦ୍‍ଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କବିତା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଅଣାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କିଟରେ ୩୯ତମ ବିଶ୍ୱ କବି ସମ୍ମିଳନୀକୁ ଉଦଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ, ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଥିବା ବେଳେ ଗାନ୍ଧୀଜୀଙ୍କ ଶାନ୍ତି ଓ ଅହିଂସା ଯେଉଁ ଦୁଇଟି ମୌଳିକ ମାନବିକ ମୂଲ୍ୟବୋଧ ରହିଥିଲା ସେହି ମୌଳିକ ମାନବିକ ମୂଲ୍ୟବୋଧକୁ ବିଶ୍ୱରେ ବଜାୟ ରଖିବା ପାଇଁ କବିମାନେ ବ୍ରତୀ ହେବା ଉଚିତ। କାରଣ ସମାଜରେ ପରିବର୍ତ୍ତନ ଆଣିବାର ଶକ୍ତି କବିତାର ଅଛି।

ଊନବିଂଶ ଶତାବ୍ଦୀର କବି ଭୀମଭୋଇଙ୍କ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଯାହା କି ଜାତିସଂଘର ମୁଖ୍ୟାଳୟ କାନ୍ଥରେ ଖୋଦେଇ ହୋଇଛି ତାହା ଆଜି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପ୍ରଭାବିତ କରିଛି। ଓଡ଼ିଶା ହେଉଛି ସଂସ୍କୃତିର ଗନ୍ତାଘର। କାବ୍ୟରେ ଓଡ଼ିଶାର ଏକ ଉଚ୍ଚ ପରମ୍ପରା ରହିଛି।

ସାରଳା ଦାସଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ଦାସ, ଭୀମଭୋଇଙ୍କଠାରୁ ଆରମ୍ଭ କରି ବଳଦେବ ରଥ, ଗଙ୍ଗାଧର ମେହେରଙ୍କଠାରୁ ରାଧାନାଥ ରାୟ, ମାୟାଧର ମାନସିଂହଙ୍କ ଏବଂ କୁନ୍ତଳାକୁମାରୀ ସାବତଙ୍କଠାରୁ ଆରମ୍ଭ କରି ସଚ୍ଚି ରାଉତରାୟଙ୍କ ପର୍ଯ୍ୟନ୍ତ ଆମର ମହାନ କବିମାନେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ସାମାଜିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଇଣ୍ଡିଆନ୍‍ କାଉନସିଲ୍‍ ଫର୍‍ କଲଚରାଲ୍‍ ରିଲେସନ୍ସର ମହାନିର୍ଦ୍ଦେଶକ ଅଖିଳେଶ ମିଶ୍ର କହିଲେ, କବିତା ମାଧ୍ୟମରେ ଆମମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରାଯାଇପାରେ। ବିଶ୍ୱରେ ଶାନ୍ତି ଓ ଭ୍ରାତୃତ୍ୱ ଭାବ ସୃଷ୍ଟିକରି ଆମକୁ କବିତା ଗୋଟିଏ ସୂତ୍ରରେ ବାନ୍ଧି ରଖିପାରେ। କବିତା ହେଉଛି ଆମମାନଙ୍କ ମଧ୍ୟରେ ସମ୍ପର୍କର ସେତୁ। ଭାରତୀୟ କବିତା ବହୁ ପ୍ରାଚୀନ। ଋଗ୍‍ ବେଦ ହେଉଛି ସବୁଠାରୁ ପ୍ରାଚୀନ କବିତା ଯାହା କି, ଆମମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଏକତା ପ୍ରତିଷ୍ଠା କରିଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ବିଶ୍ୱ କବି ସମ୍ମିଳନୀର ପ୍ରଥମ ଉପସଭାପତି ଡ. ଅର୍ନଷ୍ଟ କାହାନ କହିଲେ, ବିଶ୍ୱ କବି ସମ୍ମିଳନୀର କଳେବର ଓ ମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ମାନ ଓ ଆକାରରେ ବିଶ୍ୱ କବି ସମ୍ମିଳନୀ ବଢ଼ି ଚାଲିଛି। କବିତା ମାଧ୍ୟମରେ ବିଶ୍ୱ ଭ୍ରାତୃଭାବ ଓ ଶାନ୍ତି ପ୍ରତିଷ୍ଠା କରିବା ହେଉଛି ବିଶ୍ୱ କବି ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।

ବିଶ୍ୱ କବି ସମ୍ମିଳନୀର ସଭାପତି ଡ. ମଉରସ ୟଙ୍ଗ କହିଲେ, ଭାରତ ହେଉଛି କବିତାର ଭୂମି। ବିଶ୍ୱକୁ କବିତାରେ ଭାରତର ଅତୁଳନୀୟ ଅବଦାନ ରହିଛି। ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାର୍ଲ୍‍ଡ ଆକାଡେମୀ ଅଫ୍‍ ଆର୍ଟସ ଆଣ୍ଡ କଲ୍‍ଚର (ୱାକ୍‍)ର ସାଧାରଣ ସଂପାଦିକା ଡ. ମାରିଆ ଇଉଜେନିଆ ସୋବେରାନିସ୍‍ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବିଶ୍ୱ କବି ସମ୍ମିଳନୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମ ଭୂଷଣ ରସ୍କିନ୍‍ ବଣ୍ଡ, ବିଶିଷ୍ଟ ଚିତ୍ରକର ଗଣେଶ ହାଲୋଇଙ୍କୁ ସମ୍ମାନସୂଚକ ଡିଲିଟ୍‍ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସମ୍ମାନସୂଚକ ଡିପ୍ଳୋମା ପ୍ରଦାନ କରାଯାଇଥିଲା।

ସେହିପରି ବିଶିଷ୍ଟ ଗାନ୍ଧୀବାଦୀ ତଥା ନୃତତ୍ତ୍ୱବିତ୍‍ ଆଚାର୍ଯ୍ୟ ଭାବାନନ୍ଦଙ୍କୁ ସାହିତ୍ୟ ପାଇଁ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆଜି ସକାଳେ ୮୨ଟି ଦେଶର କବି ପ୍ରତିନିଧିମାନେ କିଟ୍‍ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନେ ମଧ୍ୟ କିସ୍‍ ରେ ୨୭ହଜାର୫ଶହ ଛାତ୍ରଛାତ୍ରୀଙ୍କ ସହ ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ‘କରମଚାନ୍ଦ’ ଗାନ୍ଧୀ ପାଠାଗାରର ଲୋକାର୍ପଣ କରିଥିଲେ।