୩୭୦ ପଞ୍ଚାୟତରେ ନାହିଁ ହାଇସ୍କୁଲ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଏବେ ୬୭୯୮ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ୩୭୦ ପଞ୍ଚାୟତରେ ହାଇସ୍କୁଲ୍ ନାହିଁ। ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ସ୍ୱୀକାର କରିଛନ୍ତି। ବୁଧବାର ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ,

ହାଇସ୍କୁଲ ନ ଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ଆରଏମଏସ୍ ନିୟମାବଳୀ ଅନୁଯାୟୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ଅଛି । ଏହି ନିୟମାବଳୀ ଅନୁସାରେ ଦୂରତା ଓ ଛାତ୍ରଛାତ୍ରୀ ଉପସ୍ଥାନକୁ ଦୃଷ୍ଟିରେ ରଖି ଉକ୍ତ ଗ୍ରାମପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ହାଇସ୍କୁଲରେ ପରିଣତ କରାଯାଇପାରିବ। ଏଥିପାଇଁ ଡିଏମଏସଏମକୁ ପ୍ରସ୍ତାବ ଦେବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପତ୍ରସଂଖ୍ୟା ୨୭୮୩୦/୨୩ ଜୁଲାଇ୨୦୧୯ ଓ ପତ୍ର ସଂଖ୍ୟା ୪୪୭୬୦/୧୬ ନଭେମ୍ବର ୨୦୧୯ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଅଛି ।

ମନ୍ତ୍ରୀ କହିଥିଲେ, ଯେଉଁ ଗ୍ରାମପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ, ଯଦି କୌଣସି ସଂସ୍ଥା ସେହି ଗ୍ରାମପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲେ, ନିୟମ ଆଧାରରେ ସେହି ବିଦ୍ୟାଳୟଗୁଡିକ ଯୋଗ୍ୟ ବିବେଚିତ ହେବ। ଦ୍ୱିତୀୟରେ ଗ୍ରାମପଞ୍ଚାୟତର ପ୍ରଥମ ଉଚ୍ଚ ବିଦ୍ୟାଳୟଟି ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଗୋଟିଏ ବ୍ୟାଚ୍ ପରୀକ୍ଷା ଦେଲାପରେ ଅନୁଦାନ ପାଇଁ ଯୋଗ୍ୟ ବିବେଚିତ ହେବ। ଏତଦ୍ ବ୍ୟତୀତ ଗ୍ରାମପଞ୍ଚାୟତର ଦ୍ୱିତୀୟ ଉଚ୍ଚ ବିଦ୍ୟାଳୟ ମାଟ୍ରିକ୍ୟୁଲେସନ ପରୀକ୍ଷାରେ କ୍ରମାଗତ ଭାବରେ ୪ ଗୋଟି ବ୍ୟାଚ୍ ସିଧା ପରୀକ୍ଷା ଦେଲାପରେ ଅନୁଦାନ ପାଇଁ ଯୋଗ୍ୟ ବିବେଚିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସ୍ପଷ୍ଟ କରିଥିଲେ।