୪ ଶିଳ୍ପ ସଂସ୍ଥାରେ ୩୪,୧୦୫ ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମ ସଂସ୍ଥାନ ପାଇଛନ୍ତି। ଏହି ସବୁ କାରଖାନା ୭୬,୬୧୮.୬୪ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ହୋଇଛି।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଝାରସୁଗୁଡ଼ା ଠାରେ ଥିବା ବେଦାନ୍ତ ଆଲୁମିନିୟମ୍‍ କମ୍ପାନୀରୁ ଆଂଶିକ ଉତ୍ପାଦନ ହେଉଥିବାବେଳେ ଏଠାରେ ୯୭୩୧ ଜଣ କାର୍ଯ୍ୟରତ ଅଛନ୍ତି। ୮୪୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଏହି କାରଖାନାରୁ ଆଲୁମିନିୟମ୍‍ ଉତ୍ପାଦନ ହେଉଥିବାବେଳେ ଏଠାରେ ୧୩୫୦ ମେଗା ୱାଟର ନିଜସ୍ୱ ତାପଜ ବିଦ୍ୟୁତ୍‍ କେନ୍ଦ୍ର ରହିଛି।

ସେହିଭଳି ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ଠାରେ ଥିବା ଭୂଷଣ ଇସ୍ପାତ କାରଖାନାରେ ସର୍ବାଧିକ ୧୮,୮୦୧ ଜଣ ବ୍ୟକ୍ତି ନିଯୁକ୍ତି ପାଇଥିବାବେଳେ ବର୍ତ୍ତମାନ କାରଖାନାରୁ ଆଂଶିକ ଉତ୍ପାଦନ ହେଉଛି। ଏହି କାରଖାନାର ମୂଲ୍ୟ ୨୦,୮୦୪.୪୯ କୋଟି ଟଙ୍କା। ସମ୍ବଲପୁର ଜିଲ୍ଲାର ଲପଙ୍ଗାଠାରେ ଥିବା ହିଣ୍ଡାଲକୋ କମ୍ପାନୀର ଆଦିତ୍ୟ ଆଲୁମିନିୟମ୍‍ କାରଖାନାରେ ୩୫୭୩ ଜଣ କର୍ମ ନିଯୁକ୍ତି ପାଇଛନ୍ତି। ଏହି କାରଖାନାରୁ ଏବେ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ଆଲୁମିନିୟମ୍‍ ଉତ୍ପାଦିତ ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲ୍ଲୀ ଠାରେ ଥିବା ଏନ୍‍ଟିପିସି ତାପଜ କେନ୍ଦ୍ରରେ ୨୦୦୦ ଲୋକଙ୍କୁ କର୍ମ ସଂସ୍ଥାନ ମିଳିଥିବାବେଳେ ଏଠାରେ ଏବେ ୮୦୦ ମେଗା ୱାଟ ବିଜୁଳି ଉତ୍ପାଦିତ ହେଉଛି।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଶିଳ୍ପ କାରଖାନାରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ତଦନୁଯାୟୀ ପ୍ରକଳ୍ପ ଗୁଡ଼ିକରେ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ସ୍ତରରେ ଆବଶ୍ୟକ ଥିବା ପଦବୀ ମଧ୍ୟରୁ ୯୦ ପ୍ରତିଶତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂରଣ କରାଯିବ। କୁଶଳୀ ଶ୍ରମିକଙ୍କ ପାଇଁ ଥିବା ପଦବୀ ମଧ୍ୟରୁ ୬୦ ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ଥିବା ପଦବୀ ମଧ୍ୟରୁ ଅତିକମ୍‌ରେ ୩୦ ପ୍ରତିଶତ ସ୍ଥାନୀୟ ଯୁବକ ଯୁବତୀଙ୍କ ଦ୍ୱାରା ପୂରଣ ହେବ। ତେବେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଗୁଡ଼ିକ ଯୋଗ୍ୟତା ଭିତ୍ତିରେ ବାହାରୁ ପୂରଣ କରାଯାଇପାରିବ।