ଭୁବନେଶ୍ୱରରୁ ୩ ନାବାଳିକା ଉଦ୍ଧାର, ଖସିଗଲା ଦଲାଲ

  • ଫୁଲବାଣୀ, ଏନଏନଏସ: କନ୍ଧମାଳ ଜିଲ୍ଲାରୁ ନାବାଳିକା ଚାଲାଣ ଚାଲିଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଖଜୁରୀପଡା ଥାନା ଅଞ୍ଚଳରୁ ଚାଲାଣ କରାଯାଇଥିବା ୩ ଜଣ ନାବାଳିକାଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଛି ଖଜୁରୀପଡା ପୁଲିସ। ସୂଚନା ଅନୁଯାୟୀ, ଗତ ୫ ତାରିଖ ସନ୍ଧ୍ୟାରେ ଏହି ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଝିଅ ସହ ଆଉ ୨ ଜଣ ନାବାଳିକାଙ୍କୁ ଏକ ବୋଲେରୋରେ ବସାଇ ଭୁବନେଶ୍ୱର ନେଇଥିବା ଥାନାରେ ଏତଲା ଦେଇଥିଲେ। ତାଙ୍କ ଝିଅ ଅଧା ବାଟରୁ ଫୋନ୍ ଯୋଗେ ଜଣାଇଥିବା ଅଭିଯୋଗକାରୀ ତାଙ୍କ ଏତଲାରେ କହିଥିଲେ। ଅଭିଯୋଗ ପାଇବା ପରେ ଖଜୁରୀପଡା ଥାନାଧିକାରୀ ରମାକାନ୍ତ ପାତ୍ର ତୁରନ୍ତ ଦଶପଲ୍ଲା ସମେତ ଭୁବନେଶ୍ୱର ରାସ୍ତାରେ ଥିବା ସମସ୍ତ ଥାନାକୁ ସୂଚନା ଦେଇ ଗାଡିରେ ଯାଇଥିବା ସମସ୍ତ ନାବାଳିକାଙ୍କ ମୋବାଇଲ ଫୋନକୁ ଟ୍ରାକ୍ କରିବା ଆରମ୍ଭ କରିଥିଲେ। କିନ୍ତୁ ଚାଲାଣକାରୀମାନେ ବାରମ୍ବାର ରାସ୍ତା ବଦଳାଇ ଭୁବନେଶ୍ୱରରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ତେବେ ପୁଲିସ ଏନେଇ ସୂଚନା ପାଇ ରାତି ଅଧିଆ ଚଢ଼ଉ କରି ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ତେବେ ଦଲାଲ ଖସିଯାଇଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଦଲାଲ ଖଜୁରୀପଡା ଅଞ୍ଚଳର ବୋଲି ଜଣାପଡିଛି।