ପିସିସିଏଫ୍ ଅଭୟକାନ୍ତଙ୍କ ଡ୍ରାଇଭର ଘରୁ ମିଳିଲା ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବାବେଳେ ଆଜି ତାଙ୍କ ଡ୍ରାଇଭର ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି। ଏଥିସହିତ ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅଙ୍କୁ ଭିଜିଲାନ୍ସ ଟିମ୍ ଭୁବନେଶ୍ୱରକୁ ଅଣି ଅଟକ ରଖି ପଚରାଉଚରା କରୁଛି।

ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇରେ ଲକ୍ଷାଧିକ ଟଙ୍କା ଭଡ଼ା ଦେଇ ସେ ଏକ ଫ୍ଲାଟ୍ ରଖିଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ନିଜ ସୁରକ୍ଷା ପାଇଁ ସେଠି ବାଉନ୍ସର୍ ବି ନିୟୋଜିତ କରିଥିବା ଭିଜିଲାନ୍ସ ଟିମ୍ ପାଖରେ ସୂଚନା ମିଳିଛି। ମୁମ୍ବାଇର ଏକ କମ୍ପାନୀର ଏମଡି ଭାବେ ଅଭୟଙ୍କ ପୁଅ ନିଜକୁ ପରିଚୟ ଦେଇଥିଲେ। ଏତେ ଟଙ୍କା ସେ କେଉଁଠାରୁ ଆଣୁଥିଲେ, ତାକୁ ନେଇ ଏବେ ଖୋଳତାଡ଼ କରାଯାଉଛି।

ସୂଚନାଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱରର ୫ରୁ ଅଧିକ ସ୍ଥାନ ଏବଂ ସାରା ଦେଶରେ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢଉ କରଛି। ଅଭୟକାନ୍ତଙ୍କ ଜଣେ ପୁତୁରାଙ୍କ ଘରୁ ୫୦ ଲକ୍ଷ, ପିପିଲିରେ ଥିବା ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି।

ମୁମ୍ବାଇ ଓ ପୁଣେରେ ଥିବା ଫାର୍ମ ହାଉସ୍ ସହ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ। ଅନ୍ୟପକ୍ଷେ, ସମ୍ପତ୍ତି ଆୟ ବହିର୍ଭୂତ ନୁହେଁ ବୋଲି ସମ୍ପୃକ୍ତ ଆଇଏଫ୍ଏସ୍ ଅଧିକାରୀ ସଫେଇ ଦେଇଛନ୍ତି।