ବିଜେଡିରୁ ବିଦା ହେଲେ ୨ ବିଧାୟକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଏହାପୂର୍ବରୁ ସୌମ୍ୟଙ୍କୁ ବିଜେଡିର ଉପସଭାପତି ପଦରୁ ହଟା ଯାଇଥିଲା । ଏନେଇ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଜନ ବିରୋଧୀ କାର୍ଯ୍ୟକଳାପକୁ ନେଇ ଦୁହିଁଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବହିଷ୍କାର ନେଇ ବିଜେଡି ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି । ‘ସମ୍ବାଦ’ ଲୋନ ଦୁର୍ନୀତି ପାଇଁ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା ଏଥିରେ ଦର୍ଶାଯାଇଛି । ଲୋନ ଦୁର୍ନୀତି ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଛି । ଏନେଇ ଅନେକ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି । ୩୦୦ରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ଉଠାଯାଇଛି। ଜାଲ୍ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠା ଯାଇଛି । ଲୋନ୍ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଫ୍ରଡ୍ ।

ସେହିପରି ସବସିଡି ଦୁର୍ନୀତି ମାମଲାରେ ସୁଧାଂଶୁ ପରିଡ଼ାଙ୍କୁ ବହିଷ୍କାର କରାଯାଇଛି । ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ ହୋଇଛି । ସୁଧାଂଶୁଙ୍କ ପରିଚାଳନାଧୀନ କମ୍ପାନୀ ୩ କୋଟି ହଡ଼ପ କରିଛି । ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି । ଏହାର ଜବାବରେ ସୁଧାଂଶୁ କହିଛନ୍ତି ଯେ, ମୁଁ କୌଣସି ସ୍କାମ୍ ସହ ନାହିଁ କି ପୂର୍ବରୁ ବି ନଥିଲି । ମୋତେ ବହିଷ୍କାର କାରଣ ଜଣାନାହିଁ । ହେଲେ ମୁଁ ମୋ ଦାୟିତ୍ୱ ତୁଲାଇଛି । ମୋ କାର୍ଯ୍ୟ ଉପରେ ମୁଁ ଓ ଲୋକମାନେ ସନ୍ତୁଷ୍ଟ ଅଛନ୍ତି । ବାକି ରହିଲା ବ୍ୟବସାୟ ଘଟଣା, ମୁଁ ମାଲିକ ନୁହେଁ ସେଥିରେ ପାର୍ଟନର ଥିଲି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ସେକଥା ସିଏ ଜାଣିଛନ୍ତି ।