ରାଜ୍ୟରେ ପୁଣି ୧୬୭ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୫,୪୭୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୧୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୪୧, ଗଞ୍ଜାମରୁ ୩୦, ଜଗତସିଂହପୁରରୁ ୧୯, ମୟୁରଭଞ୍ଜରୁ ୧୪, ବାଲେଶ୍ୱରରୁ ୧୩, ଢେଙ୍କାନାଳ ୯ ଓ ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୭, ରାୟଗଡ଼ା ଓ ଯାଜପୁରରୁ ୫ ଲେଖାଏଁ, ସୁନ୍ଦରଗଡ଼ରୁ ୪, ଝାରସୁଗୁଡ଼ା ଓ କଟକରୁ ୩ ଲେଖାଏଁ, ନୟାଗଡ଼ରୁ ୨, ବରଗଡ଼, ପୁରୀ, ବଲାଙ୍ଗିର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୭ଜଣ ସ୍ଥାନୀୟ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୭୦କୁ ବୃଦ୍ଧି ପାଇଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୩,୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫୮୩ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।