ହୋଲିରେ ଚାଲିଗଲା୧୫ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ହୋଲି ଖେଳରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ମୋଟ୍ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। କଟକ ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ୩ ଜଣ, ରାୟଗଡ଼ା ଜିଲ୍ଲାରେ ୩ ଜଣ, ନବରଙ୍ଗପୁର, ଗଜପତି, ସମ୍ବଲପୁର, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଲେଖାଏଁ ଲୋକ ଜୀବନ ହରାଇଛନ୍ତି।

କାଠଯୋଡ଼ି ଓ ଚିତ୍ରୋତ୍ପଳା ନଦୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି। କାଠଯୋଡ଼ିରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ। ସାଲେପୁର ବ୍ଲକର ଜଳହରି ନିକଟ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଶୁଭମ ପ୍ରତୀକ ଦାଶ ନାମରେ ଜଣେ ଯୁକ୍ତ ୨ର ଛାତ୍ରଙ୍କ ମୃତ୍ୟୁ ହୋଇଛି।

ସେହିପରି ଭୋଜି ସାରି ବାଇକରେ ଫେରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାର କାଇମାଟି ଛକରେ ଟାଉନଥାନା ଅନ୍ତର୍ଗତ ରାମେଶ୍ୱରପୁର ଗାଁର ଶୁଭ୍ର ଶାଶ୍ୱତ ରାଉତରାୟ, ସଦର ଥାନା ଅନ୍ତର୍ଗତ କାଇମାଟିର ଗାଁର ଧର୍ମାନନ୍ଦ ଦେହୁରୀ ଓ ଆଛନ୍ଦ ଗାଁର କୈଳାଶ ସାହୁ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ରାୟଗଡ଼ା ଜିଲ୍ଲାର ପଦ୍ମପୁର ବଡ଼ନାଳ ଡ୍ୟାମରେ ବୁଡି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ନବରଙ୍ଗପୁରରେ ଇନ୍ଦ୍ରାବତୀ ନଦୀରେ ଆଦିତ୍ୟ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ବାଲେଶ୍ୱରରେ ରଙ୍ଗ କିଣିବାକୁ ଯାଇଥିବା ଯୁବକ ନରେନ୍ଦ୍ର ଜେନାଙ୍କୁ ଷଣ୍ଢ କଚାଡ଼ି ଫିଙ୍ଗିଦେବାରୁ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବାଲିଅନ୍ତା ନିକଟ ପୁରୀ କେନାଲରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲାର ତିଗିରିଆ ଅଞ୍ଚଳରେ ହୋଲି ଖେଳକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ୧୨ ଜଣ ଆହତ ହୋଇଛନ୍ତି।

ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ାର ଆଦିତ୍ୟ ସାଙ୍ଗମାନଙ୍କ ସହ ରଙ୍ଗ ଖେଳିସାରି ଇନ୍ଦ୍ରାବତୀ ନଦୀକୁ ଗାଧେଇବାକୁ ଯାଇଥଲେ। ଗାଧୋଇବା ସମୟରେ ସେ ବୁଡ଼ିଯାଇଥିଲେ। ଅଗ୍ନିଶମ ବିଭାଗ ଓଡ୍ରାଫ୍ଟ ଟିମ୍, ସ୍ଥାନୀୟ ପୁଲିସ ମିଳିତ ସହଯୋଗରେ ବହୁ ଖୋଜାଖୋଜି ପରେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ତଦନ୍ତ ଚାଲୁଥିବା ବରିଷ୍ଠ ଥାନାଧିକାରୀ ତାରେକ ଅହମ୍ମଦ ସୂଚନା ଦେଇଛନ୍ତି।

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ରେଳବାଇ କର୍ମଚାରୀ ମହେଶ୍ୱର ସାମଲଙ୍କ ପୁଅ ଶୁଭମ ସାମଲ (୧୪) ନାଳରେ ବୁଡ଼ିଯିବାରୁ ମୃତ୍ୟୁ ଘଟିଛି। ସେ ଘର ପାଖରେ ଥିବା ନାଳକୁ ଗାଧାଇବାକୁ ଯାଇଥିଲେ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟ ଦେଇ ଯାଇଥିବା ମହେନ୍ଦ୍ରତନୟା ନଦୀରେ ବୁଡ଼ି ରାମସ୍ୱାମୀ (୨୫) ନାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ଅପରପକ୍ଷେ ବାଲେଶ୍ୱରର ଜିଲ୍ଲା ବାହନଗା ବ୍ଲକ ଗୋପାଳପୁର ବଜାରରେ ଥିବା ବିଦେଶୀ ମଦ ଦୋକାନ ରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ କିଛି ଲୋକମାନେ ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ସମେତ କେତେକ କନଷ୍ଟେବଳଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ସେଠାରେ ପହଞ୍ଚି ମାରପିଟ୍ କରିଥିବା ଲୋକମାନଙ୍କୁ ନନେଇ ବୁଝାସୁଝା କରିଥିବା ଲୋକଙ୍କୁ ଉଠାଇବାରୁ ଲୋକମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ସହିତ ୩ କନଷ୍ଟେବଳ ଆହତ ହୋଇ ଖନ୍ତାପଡ଼ା ମେଡିକାଲ ଭର୍ତ୍ତି ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱରର ମେଡିକାଲକୁ ପଠାଯାଇଛି। ଗଣ୍ଡଗାଳ କରିଥିବା ଲୋକ ୨ଜଣ ଆହତ ଥିବା ଜଣାପଡ଼ିଛି।