ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୧୪୦କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଆଉ ୧୯ ଜଣ ସ୍ଥାନୀୟ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆଜି ଚିହ୍ନଟ ହୋଇଥିବା ୧୪୬ ଜଣଙ୍କ ମଧ୍ୟରୁ ଏନଡିଆରଏଫ୍ ଓ ଓଡ୍ରାଫର ୬୧ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ରହିଥିବା ଅଗ୍ନିଶମ ବିଭାଗର ଡିଜି ଟ୍ୱିଟ କରି ସୂଚନା ଦେଇଛନ୍ତି। ସମ୍ପୃକ୍ତ ସମସ୍ତ କର୍ମଚାରୀ ପଶ୍ଚିମବଙ୍ଗକୁୁ ଅମ୍ଫାନ ବାତ୍ୟାର ପୁନରୁଦ୍ଧାର ପାଇଁ ଯାଇଥିଲେ। ଆଉ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ।
ସେହିପରି ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୮, ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ୭, ଦେଓଗଡ଼ରୁ ୫, ମୟୁରଭଞ୍ଜ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ରହିଛନ୍ତି। କନ୍ଧମାଳ, କେଉଁଝର ଓ କେନ୍ଦ୍ରାପଡ଼ା ଓ କଟକରୁ ୨ଜଣ ଲେଖାଏଁ ଏବଂ ମାଲକାନଗିରି, ଢ଼େଙ୍କାନାଳ, ବଲାଙ୍ଗିର ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ରେ ପହଂଚିଥିବା ବେଳେ ୧୧୯୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୩୬ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।