ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୩୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୮ ଓ ସ୍ଥାନୀୟ ସଂକ୍ରମଣ ୫୨୩ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୭୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ୧୩୪୧ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୨୭, ଖୋର୍ଦ୍ଧାରୁ ୨୧୮, ସୁନ୍ଦରଗଡ଼ରୁ ୯୧, କଟକରୁ ୭୬, ରାୟଗଡ଼ାରୁ ୭୫ ଓ ନୟାଗଡ଼ ଜିଲ୍ଲାରୁ ୫୭ ଜଣ ରହିଛନ୍ତି।
ସେହିପରି ଆଜି ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ୩ ଲେଖାଏଁ ରହିଥିବାବେଳେ ରାୟଗଡ଼ା, ପୁରୀ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରହିଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ଜଣେ ୭୨ ଓ ୬୪ ବର୍ଷୀୟ ବୃଦ୍ଧ ରହିଛନ୍ତି ସେମାନେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ବାଲେଶ୍ୱରରୁ ୫୮, ପୁରୀରୁ ୫୬ ଓ ରାୟଗଡ଼ାରୁ ୩୬ ବର୍ଷୀୟ ପୁରୁଷ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୯୨ ହଜାର ୩୦୧ଟି କରୋନା ଟେଷ୍ଟ ହୋଇଥିବାବେଳେ
୪୮ ହଜାର ୭୯୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପଟେ ୩୩ ହଜାର ୨୦ ଜଣ ସୁସ୍ଥ ହୋଇଛନ୍ତି ଓ ୨୯୬ ଜଣଙ୍କର ମୃତ୍ୟୁ ଘଟିଛି। ୧୫ ହଜାର ୪୨୭ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।