ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକମାନଙ୍କର ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ୧୨୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି । ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ କରଯାଇଛି ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ନହୁଅନ୍ତି। ମେଧାକୁ କେବେହେଲେ ଅଟକାଇ ହେବ ନାହିଁ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ଏକ ସୁଦୀର୍ଘ ପରମ୍ପରା ରହିଛି । ଓଡ଼ିଆ ଭାଷା ସାହିତ୍ୟ ଆମ ନିଜସ୍ୱ, ବହୁ ପ୍ରାଚୀନ ଏବଂ ଅତ୍ୟନ୍ତ ଉଚ୍ଚ ମାନର । ରାଜ୍ୟ ସରକାର ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହିମାକୁ ଆହୁରି ଗୌରବାନ୍ୱିତ ଓ ରୁଦ୍ଧିମନ୍ତ କରିବାର ଗୁରୁଦାୟିତ୍ୱ ଓଡ଼ିଆ ବିଭାଗର ଅଧ୍ୟାପକଅଧ୍ୟାପିକାମାନଙ୍କ ଉପରେ ନ୍ୟସ୍ତ ହୋଇଛି । ସେମାନେ ଏହାକୁ ସଫଳତାର ସହ ନିର୍ବାହ କରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ଅଧ୍ୟାପକମାନେ ନିଜର ନିଷ୍ଠା, ଚେଷ୍ଟା, ଯୋଗ୍ୟତା ଓ ପରିଶ୍ରମ ବଳରେ ସମାଜର ଆଙ୍ଗିକ ଓ ସାମଗ୍ରିକ ଉନ୍ନତି ପାଇଁ କାମ କରନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଦିଗଦର୍ଶନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଅଧ୍ୟାପକମାନେ ସର୍ବଦା ଜ୍ଞାନ ଆହରଣରେ ବ୍ରତୀ ହୋଇ ନିଜ ନିଜର ଚିନ୍ତା ଓ ଚେତନାର ବିକାଶ କରିବା ଦରକାର । ଭଲ ଶିକ୍ଷାଦାନ ସହିତ ପ୍ରଶାସନିକ ଓ ନେତୃତ୍ୱ ନେବା କ୍ଷେତ୍ରରେ ଦକ୍ଷତା ହାସଲ କରିବା ଉଚିତ । ଜୀବନରେ ଓ କର୍ମକ୍ଷେତ୍ରରେ ସବୁପ୍ରକାର ସମସ୍ୟାର ସମ୍ମୁଖୀନ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିଲେ ସମସ୍ୟାର ସମାଧାନ ସହଜ ହୋଇଥାଏ । ଓଡ଼ିଆ ବିଭାଗର ଅଧ୍ୟାପକ ଅଧ୍ୟାପିକା ଭାବରେ ଓଡ଼ିଆ ଭାଷାକୁ ଅଧିକ ଗ୍ରହଣୀୟ ଓ ଆଦରଣୀୟ କରିବା ଦିଗରେ ନିଷ୍ଠାପର ଉଦ୍ୟମ କଲେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରିବ । ଏଥି ସହିତ ଅଧ୍ୟାପକମାନେ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଂପୂର୍ଣ୍ଣ ଭାବେ ସମର୍ପିତ ହୋଇପାରିଲେ ସେମାନଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ ହୋଇପାରିବ ବୋଲି ସଚିବ ଶ୍ରୀ ମିଶ୍ର କହିଥିଲେ ।
ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ଦିଗଦର୍ଶନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଚୟନ କରାଯାଇଥିବା ପ୍ରାର୍ଥୀମାନେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲେସମେଣ୍ଟ ଅର୍ଡର ଅନୁସାରେ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକ ଦ୍ୱାରା ନିଯୁକ୍ତ ହେବେ।