ଚଳିତ ମାସରେ ସରିବ ୧୧ ଖଣି ନିଲାମ ପ୍ରକ୍ରିୟା

  • ଭୁବନେଶ୍ୱର: ଚଳିତ ମାସ ୨୯ ତାରିଖ ସୁଦ୍ଧା ରାଜ୍ୟର ୧୧ଟି ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହେବାର ପ୍ରସ୍ତାବ ରହିଛି ଓ ଅନ୍ୟ ୫ଟି ଖଣିକୁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ନିଲାମ କରିବା ନିମନ୍ତେ ସରକାର ପ୍ରସ୍ତାବ ରଖିଛନ୍ତି ବୋଲି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।
  • ଆଜି ବିଧାନସଭାରେ ଏସମ୍ପର୍କରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୩୧ଟି ଖଣିର ନିଲାମ ହୋଇଥିବାବେଳେ ୨୦୧୯-୨୦ ଓ ୨୦୨୦-୨୧ ମସିହାରେ ୨୬ଟି ଖଣି ନିଲାମ ହୋଇସାରିଛି। ଏହି ୨୬ଟି ଖଣି ମଧ୍ୟରୁ ୫ଟି ଖଣି ଲିଜ୍ ସର୍ତ୍ତ ପୂରଣ କରିନଥିବାବେଳେ ଅନ୍ୟ ୨୧ଟି ଖଣି ମଧ୍ୟରୁ ୧୮ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ବାକି ୩ଟି ଏବେ ଉତ୍ତୋଳନ ହୋଇନାହିଁ। ଏସବୁ ବ୍ୟତୀତ ଅନ୍ୟ ୧୬ଟି ଖଣିଜ ବ୍ଲକର ନିଲାମ ପାଇଁ ପ୍ରସ୍ତାବ ଅଛି। ଏହି ୧୬ଟି ଖଣି ମଧ୍ୟରୁ ୧୧ଟି ଖଣିଜ ବ୍ଲକର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ନିଲାମ ପ୍ରକ୍ରିୟା ଏବେ ଚାଲୁଅଛି।  ଆସନ୍ତା ୨୯ତାରିଖରେ ଏହି ନିଲାମ ପ୍ରକ୍ରିୟା ଶେଷ ହେବ।
  • ପରବର୍ତ୍ତୀ ପର୍ଯ୍ୟାୟରେ ବାକି ଯେଉଁ ୫ଟି ଖଣିକୁ ନିଲାମ କରିବା ପାଇଁ ପ୍ରସ୍ତାବ ରହିଛି ସେଥିରେ ୪ଟି ଚୂନପଥର ଓ ଗୋଟିଏ ଗ୍ରାଫାଇଟ୍ ଖଣି ରହିଛି। ଚଳିତ ଆର୍ôଥକ ବର୍ଷ ମଧ୍ୟରେ ଏହି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ କହିବାନୁସାରେ ବଲାଙ୍ଗିର, ନୂଆପଡ଼ା, ମାଲକାନଗିରି,ବରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଏହି ଖଣିଗୁଡ଼ିକ ରହିଛି ତଥା ଏସବୁ ଖଣିଜ ବ୍ଲକ ଜି-୨ ଉତ୍ତୋଳନସ୍ତରରେ ରହିଛି।