ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପରେ ଚରକ ଆୟୁର୍ବେଦିକ ବୈଦ୍ୟ ସଂଘ ତରଫରୁ ଆଦି ବୈଦ୍ୟ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ଓ ବିଶ୍ୱ ନିରାମୟ ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ୫ଟାରେ ବୈଦ୍ୟ ସଂଘ ସଭାପତି ଚତୁର୍ଭୁଜ ଧାଙ୍ଗେଡ଼ାମାଝୀ ଓ ସମ୍ପାଦକ ଅଜିତ କୁମାର ମହାରଣାଙ୍କ ନେତୃତ୍ୱରେ ପ୍ରଭାତ ଫେରି ଓ ପୂର୍ବାହ୍ନ ୮ଟାରେ ପୂଜା ମଣ୍ଡପରେ ଧ୍ୱଜ ଉତ୍ତୋଳନ ଆୟୁର୍ବେଦିକ ଚିକିତ୍ସକ ଡା. ଗୌରାଙ୍ଗ ଚରଣ ରାଉତ କରିଥିଲେ । ମହିଳାଙ୍କ ପବିତ୍ର ନଦୀରେ କଳସ ପୂଜନ ଓ କଳସ ଯାତ୍ରା ସଙ୍କୀର୍ତ୍ତନ ମଣ୍ଡଳୀ ସହିତ ନଗର ପରିକ୍ରମା କରିଥିଲା । ପରେ ଭଗବାନ ଧନ୍ୱନ୍ତରୀଙ୍କ ମୂର୍ତ୍ତି ପୂଜନ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା । ଏହି ଅବସରରେ ଆୟୁର୍ବେଦିକ ଚିକିତ୍ସା ଉପରେ ବିଭିନ୍ନ ଔଷଧ ପ୍ରଦର୍ଶନୀ ଓ ବୈଦ୍ୟଙ୍କ ସମାବେଶକୁ ଅତିଥିଭାବେ ମୁନିଗୁଡ଼ା ବନଖଣ୍ଡ ଅଧିକାରୀ ଅନିଲ କୁମାର ବାଲା, ମୁନିଗୁଡ଼ା ବିକାଶ ପରିଷଦ ସଭାପତି ଘନଶ୍ୟାମ ମାର୍ଥା, ଡା. ଗୌରାଙ୍ଗ ଚରଣ ରାଉତ, ପ୍ରମୋଦ କୁମାର ସାହୁକାର, ନିଶାଦ୍ରି ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଧୀରେନ୍ଦ୍ର ମହାନ୍ତି ଓ ସ୍ୱେଛାସେବୀ ଅନୁଷ୍ଠାନ ଫାରର ସଂଯୋଜକ ଲୋକନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ଚରଖ ବୈଦ୍ୟ ସଂଘର ସଭାପତି ଧାଙ୍ଗଡ଼ା ମାଝୀଙ୍କ ସଭାପତିତ୍ୱ ଓ ସମ୍ପାଦକ ଶ୍ରୀଯୁକ୍ତ ମହାରଣାଙ୍କ ସଂଯୋଜନାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ମୁନିଗୁଡ଼ା ଓ ବିଷମକଟକ ବ୍ଲକର କୁଟ୍ରାଗଡ଼, ମେରିଂ, ଡୁକୁମ, ଯୁଗାପଦର, ମୁନିଗୁଡ଼ା, ମୁନିଖୋଲ, ସାବିଳିନାଳ,ବଡ଼ ଦହିଖାଲ, କାରଙ୍ଗ କୁପା, ସୋଲାଗୁଡ଼ି ଓ ବୋରିଗୁଡ଼ା ଆଦି ଗ୍ରାମରୁ ଶତାଧିକ ବୈଦ୍ୟ ସମାବେଶରେ ଉପସ୍ଥିତ ରହି ସେମାନଙ୍କ ଅଭିଜ୍ଞତା ଓ ସଦଭାବନକୁ ଉଜାଗର କରିଥିଲେ । ବିଶିଷ୍ଟ ବୈଦ୍ୟ ପ୍ରଦୀପ ସାହୁ, ରଘୁନାଥ ରେଙ୍ଗେଡ଼ି, ପଦ୍ମଲୋଚନ ରେଣ୍ଟା, ଭିମରାଜ ପିଡ଼ିକାକା, କେଶୁ ଭାଷାରି, ସୁଦର୍ଶନ ମାର୍ଥା ଓ ସୋମନାଥ ମାର୍ଥା ପ୍ରମୁଖ ଅନେକ ପ୍ରତିଷ୍ଠିତ ଓ ନବୀନ ବୈଦ୍ୟ ସେମାନଙ୍କ ଦୀର୍ଘ ଦିନର ଅନୁଭୂତିକୁ ବାଣ୍ଟିଥିଲେ । ପରେ ସଂଘ ତରଫରୁ ବିଭିନ୍ନ ଦାବୀ ମଧ୍ୟରୁ ବୈଦ୍ୟଙ୍କୁ ଚିକିତ୍ସକର ମାନ୍ୟତା ସହ ସେମାନଙ୍କୁ ସରକାରୀ ସହାୟତା, ଭତ୍ତା ଓ ବୀମା ପରିସର ଭୁକ୍ତ କରିବା, ପାହାଡ଼ି ଜଙ୍ଗଲ ଅଞ୍ଚଳରେ ଥିବା ଦୁର୍ଲଭ ଔଷଧୀୟ ବୃକ୍ଷରାଜିକୁ ସୁରକ୍ଷିତ ରଖିବା, ନୂତନ ଔଷଧୀୟ ଉଦ୍ୟାନ ସୃଷ୍ଟି କରିବା ଓ ଏହି ନିୟମଗିରି ଅଞ୍ଚଳରେ ଏକ ଆୟୁର୍ବେଦିକ ବିଦ୍ୟାଳୟ ସ୍ଥାପନ ପାଇଁ ଦାବୀକୁ ସଭାପତି ଉପସ୍ଥାପନା କରିଥିଲେ । ଚରକ ଆୟୁର୍ବେଦିକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା, ବିକାଶ ପରିଷଦ ଉପସଭାପତି ଭୀମ ବେହେରା, କୁମାର ରାଜୁ, ପି.ରାମବାବୁ, କୃଷି ଅଧିକାରୀ ଉତ୍ତମ ଦାସ ଓ ପାଇକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।