ନିର୍ଭୟା ମାମଲାର ଫାଶୀ ଦଣ୍ଡାଦେଶକୁ ନେଇ ଲୋକଙ୍କ ଭିତରେ ଯେତେ ଉତ୍ସୁକତା ବୃଦ୍ଧି ପାଉଛି, ସେତେ ଘୁଞ୍ଚି ଚାଲିଛି ତାରିଖ ପରେ ତାରିଖ । ବିଳମ୍ବିତ ନ୍ୟାୟ ପାଇଁ ଲୋକ ଆଇନକାନୁନକୁ ଆଙ୍ଗୁଳି ଦେଖାଇବାକୁ ବି ପଛାଇ ଯାଉନାହାନ୍ତି । କେବଳ ସେତିକି ନୁହେଁ ଜନଅସନ୍ତୋଷ ବି ବୃଦ୍ଧି ପାଇବାରେ ଲାଗିଛି । ଏହି ସମ୍ବେଦନଶୀଳ ଘଟଣାରେ ଲୋକେ ଏତେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି, କୌଣସି ପ୍ରକାର କୋର୍ଟ ରାୟ ସାନ୍ତ୍ୱନା ଦେଇପାରୁନି କି ବିଳମ୍ବକୁ ଲୋକେ ବରଦାସ୍ତ କରିପାରୁନାହାନ୍ତି । ଜଘନ୍ୟ ଅପରାଧ କରିଥିବା ଲୋକଙ୍କୁ ଶୀଘ୍ର ଫାଶୀ ଦେଇଦେବାକୁ ମାନବିକତାର ସ୍ୱର ସାରା ଦେଶରେ ତେଜିବା ବେଳେ ଫାଶୀର ତାରିଖ ବଦଳାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଇନର ସଦୁପଯୋଗ କି ଦୂରୁପଯୋଗ ଯାହା ବି କରନ୍ତୁ ବ୍ୟବସ୍ଥା ରହିଛି ବୋଲି ତ ତାହାର ଉପଯୋଗ କରି ଫାଶୀ ତାରିଖକୁ ଘୁଞ୍ଚାଇ ପାରୁଛନ୍ତି ସେମାନେ। ନିର୍ଭୟା ମାମଲାର ଘଟଣାବଳୀର ବିଭିନ୍ନ ଦିଗକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା ।
ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ବାରମ୍ବାର ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଦେଖିବାକୁ ମିଳିଛି । ଏଥିପାଇଁ ଲୋକଙ୍କ ଭିତରେ ଅସନ୍ତୋଷ ତେଜିବା ସହ ନ୍ୟାୟିକ ବ୍ୟବସ୍ଥା ପ୍ରତି ମଧ୍ୟ ଆସ୍ଥା ହରାଇ ସାରିଲେଣି । ଲୋକଙ୍କର ଧାରଣା ଆଇନ ବ୍ୟବସ୍ଥା ପ୍ରତି ଯାହା ଥିଲା, ଆଜି ତାହା ଏକ ପ୍ରଶ୍ନବାଚୀ ହୋଇ ସମସ୍ତଙ୍କ ଆଗରେ ଛିଡ଼ା ହୋଇଛି । ପ୍ରାୟ ଅଧିକାଂଶ ଲୋକଙ୍କର ଧାରଣା, ଏହା ଏକ ଆଇନ ବ୍ୟବସ୍ଥାର ପ୍ରହସନ । ଦିନ ପରେ ଦିନ ଗଡ଼ି ଚାଲିଥିଲେ ସୁଦ୍ଧା ଜଘନ୍ୟ ଅପରାଧୀଙ୍କୁ ବଞ୍ଚେଇ ରଖିବାର ଇଏ ଏକ ପ୍ରଶାସନିକ ଚାଲ ବୋଲି କେହି କେହି ବି କହୁଛନ୍ତି ।
ବାସ୍ତବ କଥାକୁ ଯଦି ତର୍ଜମା କରାଯାଏ, ତାହେଲେ ପ୍ରକୃତ କଥା ହିଁ ଲୋକଲୋଚନକୁ ଆସିପାରିବ । କାହିଁକି ସେମାନଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ବିଳମ୍ବ ଘଟୁଛି । କାହିଁକି ସେମାନେ ଆଉ କିଛିଦିନ ବଞ୍ଚିଯିବାକୁ ଏମିତି ନାଟକ ଆରମ୍ଭ କରୁଛନ୍ତି । ସେମାନେ କଣ ଆଇନର ପରିସର ବାହାରକୁ ଯାଇ ଏସବୁ ବାହାନା ଦେଖାଇବାକୁ ସେମାନଙ୍କ ସପକ୍ଷରେ ଲଢ଼ୁଥିବା ଓକିଲ ବାରମ୍ବାର ଆଇନର ଅପବ୍ୟବହାର କରି ବାଟବଣା କରୁଛନ୍ତି କି? ଏ ସମସ୍ତ ପ୍ରଶ୍ନକୁ ଯଦି ଯୋଡ଼ି ଗୋଟିଏ ଉତ୍ତର କରାଯିବ, ବୋଧେ ଏଇଆ ହେବ-ସେମାନେ ଆଇନକୁ ବ୍ୟବହାର କରୁଛନ୍ତି କିନ୍ତୁ ତାହା ସମାଜ ଆଖିରେ ସଦୁପଯୋଗ କି ଦୂରୁପଯୋଗ ବି ହୋଇପାରେ ।
