ନବରଙ୍ଗପୁର,ଏନ୍ଏନ୍ଏସ୍ : କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୨୦ ଦିନ ପରେ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ପକନାଗୁଡା ଗାଁର ଖାଡି ଭତରା ଓ ଅନ୍ୟ ଜଣେ ଗୁମଣ୍ଡଳୀ ଗାଁର ବଳି ମାଝୀ । ଖାଡ଼ି ଭତରାର ବିବାହ ପ୍ରସ୍ତାବକୁ ନାବାଳିକା ମନା କରିଦେବା ସହ ସମସ୍ତଙ୍କ ସମ୍ମୁଖରେ ଚାପୁଡ଼ା ମାରିଥିଲା।
ଏଥିରେ ପ୍ରତିଶୋଧ ପରାୟଣ ହୋଇ ଖାଡ଼ି ଭତରା ଗୁମଣ୍ଡଳୀ ଗାଁର ବଳି ମାଝୀର ସହଯୋଗରେ ନାବାଳିକାଙ୍କୁ ହତ୍ୟା କରିଥିବା ନବରଙ୍ଗପୁର ଏସ୍.ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ ନାବାଳିକା ସହ ଦୁଷ୍କର୍ମ ହୋଇ ନ ଥିବା ଏସ୍ପି ନିତିନ କୁଶଲକର କହିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ଓ ମାମଲାର ଅଧିକ ତଦନ୍ତ ଜାରି ରହିବ।