ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ ପ୍ରକ୍ରିୟା ସାମୟିକ ଭାବେ ବନ୍ଦ

ଭୁବନେଶ୍ୱର,ଏଜେନ୍ସି: ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ନେଇ ଜନଅସନ୍ତୋଷ ଦେଖାଦେବାରୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଛି । ମନ୍ଦିରର ପ୍ରଶାସକଙ୍କ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ କାର୍ୟ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ। ଏଥିରେ ଦୋକାନ ହରାଇଥିବା ବ୍ୟବସାୟୀମାନେ ନିଜର ମତ ରଖିପାରିବେ ଏବଂ ସେଥିରେ ଥଇଥାନ ନେଇ ନିଷ୍ପତ୍ତି କରାଯିବ ।

ସୂଚନାଯୋଗ୍ୟ, ଆଗେ ଥଇଥାନ ପରେ ଉଚ୍ଛେଦ ଦାବି କରି ଉଚ୍ଛେଦ ବନ୍ଦ ରଖିବାକୁ ଦୋକାନ ହରାଇଥିବା ବ୍ୟବସାୟୀମାନେ ଦାବି କରିଛନ୍ତି । ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି ବି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଆଜି ବି ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଦୋକାନୀମାନଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି । ଏହାକୁ କେତେକ ରାଜନେତା ସମର୍ଥନ କରିଛନ୍ତି ।