ଧରାକୋଟ,ଏନ୍ଏନ୍ଏସ୍ : କରୋନା ଭୟାବହ ଯୋଗୁଁ ସୁରଟରେ ରହୁଥିବା ଓଡ଼ିଶାର ଶ୍ରମିକମାନେ ୪ଟି ବସ୍ ଯୋଗେ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଶେରଗଡ଼ ଓ ଧରାକୋଟ ବ୍ଲକର ଶ୍ରମିକ ଅଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଶ୍ରମିକମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯିବା ପାଇଁ ବ୍ୟବସ୍ଥା ହୋଇଛି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିଜେ ଧରାକୋଟରେ ପହଞ୍ôଚ କୁଶଗୁମା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ ଗୃହକୁ ପରିଦର୍ଶନ କରିଛନ୍ତି। ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ବିଦ୍ୟୁତ୍ ଓ ଜଳଯୋଗାଣ କରାଯିବା ସହ ପୁଲିସ ପହରା ପାଇଁ ଅସ୍ଥାୟୀ ଟେଣ୍ଟ ବ୍ୟବସ୍ଥା କରାଯାଇଛି। ଧରାକୋଟ ବ୍ଲକରେ ୨୦୨ଟି ସଙ୍ଗରୋଧ ଗୃହ ଅସ୍ଥାୟୀ ଭାବେ କରାଯାଇଛି। ୨୮ ତାରିଖ ସୁଦ୍ଧା ୮୩୮୯ ଜଣ ଶ୍ରମିକ ନିଜ ନିଜର ନାମ ଅନଲାଇନ ଦ୍ୱାରା ପଞ୍ଜୀକରଣ କରିଥିବା ବ୍ଲକ୍ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସୁରଟ ବ୍ୟତୀତ ମହାରାଷ୍ଟ୍ର, କେରଳ, ଚେନ୍ନାଇ, ତେଲେଙ୍ଗାନାରେ ଓଡ଼ିଶାର ଶ୍ରମିକମାନେ ଭୋକ ଉପାସରେ ପଡ଼ିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାରବର୍ଗ ନିବେଦନ କରିଛନ୍ତି।