କେନ୍ଦୁଝର,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ ଦତଙ୍କ ମାଡରେ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି । ଅଧ୍ୟକ୍ଷ ରାଜୀବଙ୍କ ମାଡରେ ଆହତ ଛାତ୍ର ହରପ୍ରସାଦ ଜେନାଙ୍କୁ ପରିବାର ଲୋକଙ୍କ ପକ୍ଷରୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିôସା ପାଇଁ ଭର୍ତି କରାଯାଇଥିଲା । ଛାତ୍ରଙ୍କୁ ଅଧ୍ୟକ୍ଷଙ୍କ ମାଡ ଘଟଣାକୁ କେନ୍ଦ୍ର କରି ସ୍କୁଲରେ ଆଜି ଶୁକ୍ରବାର ଦିନ ଉତେଜନା ଦେଖିବାକୁ ମିଳିଥିଲା ।
ପ୍ରତିବାଦରେ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍କୁଲରୁ ବାହାରି ରାଜରାସ୍ତାକୁ ଆସି ଅଧ୍ୟକ୍ଷଙ୍କ ବିରୋଧରେ ନାରାବାଜି କରିବା ସହ ୨୦ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ତେବେ ଗତକାଲି ଗୁରୁବାର ଦିନ ଛାତ୍ର ଜଣକ ଅସୁସ୍ଥ ଥିବା ସତ୍ୱେ ସ୍କୁଲରେ ହେବାକୁ ଥିବା ବାର୍ଷିକ କ୍ରୀଡ଼ା ପାଇଁ ପଡିଆରୁ ଘାସ ସଫା କରିବା ପାଇଁ ଅଧ୍ୟକ୍ଷ କହିଥିଲେ । ହରପ୍ରସାଦ କିଛି ସମୟ ଘାସ ସଫା କରିବା ପରେ ଅସୁସ୍ଥ ଅନୁଭବ କରିବା କାରଣରୁ ଛାଇରେ ବସିଥିଲେ ।
ଏହା ଦେଖି ଅଧ୍ୟକ୍ଷ ରାଗିଯାଇ ସମସ୍ତଙ୍କ ସମ୍ମୁଖରେ ହରପ୍ରସାଦକୁ ନିର୍ଧୁମ ମାଡ ମାରିବାରୁ ତାଙ୍କ କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଅନ୍ୟପଟେ ବିନା କାରଣରେ ଅନେକ ସମୟରେ ନିରିହ ପିଲାଙ୍କୁ ଅଧ୍ୟକ୍ଷ ମାଡ ମାରୁଥିବା କାରଣରୁ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ଅଧ୍ୟକ୍ଷଙ୍କ ବଦଳି ଦାବି କରି ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ । ତେବେ ଛାତ୍ରଛାତ୍ରୀ ମାନେ ଦୀର୍ଘ ସମୟ ଧରି ରାଜରାସ୍ତାରେ ଧାରଣରେ ବସିବା ପରେ ଘଟଣାସ୍ଥଳରେ ଘଟଗାଁ ଥାନା ଆଇଆଇସି ବନ୍ଦନା ପାତ୍ର ଓ ତହସିଲଦାର ସାଗର ମୁର୍ମୁ ପହଂଚି ଛାତଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣରୁ ହଟିଥିଲେ ।
ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରି କପିଳେନ୍ଦ୍ର ମିଶ୍ର ଅବଗତ ଥିବା କହିଥିବା ବେଳେ ଘଟଗାଁ ବ୍ଲକ ଶିକ୍ଷାଧିକାରୀ କ୍ଷେତ୍ରମୋହନ ହାସଁଦା ଘଟଣାର ତଦନ୍ତ କରବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।