ରାଜ୍ୟରେ ଆହୁରି ୪ ଦିନ ବର୍ଷା ଲାଗିରହିବ, ଘଡଘଡି ସହ ବଜ୍ରପାତ ସମ୍ଭାବନା ରାଜ୍ୟ By Nitidin On Apr 25, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି। ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୪ ଦିନ ପାଇଁ ଏଭଳି ପାଗ ଜାରି ରହିବ। ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୮ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ। ସେହିପରି ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଆସନ୍ତା ୨୭ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୮ତାରିଖରେ ଏହା ଲଘୁଚାପର ରୂପ ନେବ। ୨୯ରେ ଏହା ଲୋ ପ୍ରେସରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଥମେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିବ। ଗତିପଥରେ ଏହା ଅଣ୍ଡାମାନର ପଶ୍ଚିମ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବା ସହ ୬ ତାରିଖ ବେଳକୁ ମିଆଁମାର ଛୁଇଁବା ସମ୍ଭାବନା ରହିଛି। Share