ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌: ଜେରେମୀ ଲାଲ୍‌ରିନୁଙ୍ଗା ଓ ଅଚିନ୍ତା ଶେଉଳୀଙ୍କୁ ସ୍ୱର୍ଣ୍ଣ

ତାସ୍‌କେଣ୍ଟ୍‌,ଏଜେନ୍ସି: ଭାରତୀୟ ଭାରୋତ୍ତୋଳକ ଜେରେମୀ ଲାଲ୍‌ରିନୁଙ୍ଗା ଓ ଅଚିନ୍ତା ଶେଉଳୀ ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌ରେ ନିଜ ନିଜ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ସ୍ୱର୍ଣ୍ଣ ପଦକ ବିଜୟ ସହ ଉଭୟ ଲାଲ୍‌ରିନୁଙ୍ଗା ଓ ଅଚିନ୍ତା ୨୦୨୨ ବର୍ସିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍‌ତି।

୨୦୧୮ ୟୁଥ୍ ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଲାଲ୍‌ରିନୁଙ୍ଗା ପୁରୁଷ ୬୭ କେଜି ବର୍ଗରେ ସ୍ନାଚ୍‌ରେ ୧୪୧ କେଜି ଓ କ୍ଲିନ୍ ଏବଂ ଜର୍ଗରେ ୧୬୪ କେଜି ସହିତ ମୋଟ ୩୦୫ କେଜି ଭାର ଉଠାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ତେବେ ସେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୩୦୬ କେଜି ଦେବାରେ ବିଫଳ ହୋଇଥିଲେ। ସେହିପରି ସ୍ନାଚ୍ ଇଭେଣ୍ଟ୍‌ରେ ୧୯ ବର୍ଷୀୟ ଲାଲ୍‌ରିନୁଙ୍ଗା ନୂଆ ଜାତୀୟ ରେକର୍ଡ ମଧ୍ୟ କରିଛନ୍ତି। ନାଇଜେରିଆର ଜୋଫେଶ୍ ଏଡିଡିଅଙ୍ଗ୍ (୨୯୫ କେଜି) ଓ ଶ୍ରୀଲଙ୍କାର ମନୋଜ ୱିହେସିଂଘେ (୨୫୪ କେଜି) ଏହି ବର୍ଗର ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଥିଲେ। ତେବେ ସମାନ୍ତରାଳ ଭାବେ ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ଉଜ୍‌ବେକିସ୍ତାନର ଦୋସ୍ତୋନ୍ ୟୁକୁବୋଭ୍ ମୋଟ ୩୨୪ କେଜି (୧୪୪+୧୮) ସହ ପୁରୁଷ ୬୭ କେଜି ବର୍ଗର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି।

ଅନ୍ୟପକ୍ଷରେ ପୁରୁଷ ୭୩ କେଜି ବର୍ଗରେ ଭାରତର ଶେଉଳୀ ଉଭୟ ସ୍ନାଚ୍ (୧୪୩ କେଜି) ଓ କ୍ଲିନ୍ ଏବଂ ଜର୍କ (୧୭୩)ରେ ନିଜ ଜାତୀୟ ରେକର୍ଡରେ ସୁଧା କରିଛନ୍ତି। ତେବେ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ସେ ଓଭରଅଲ୍ ୭ମ ସ୍ଥାନରେ ରହିଛନ୍ତି। ଏହି ବର୍ଗରେ ଇଣ୍ଡୋନେିଆର ଅବ୍‌ଦୁଲ୍ଲା ରହମତ୍ ଇର୍‌ୱିନ୍ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି।