ଘରୋଇ ହିଂସା ରୋକିବା ପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକଡାଉନରେ ଘରୋଇ ହିଂସା ରୋକିବ ହ୍ୱାଟସଆପ୍। ଏଥିପାଇଁ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ହ୍ୱାଟସଆପ୍ ନମ୍ୱର। ଘରୋଇ ହିଂସାର ସିକାର ହେଉଥିବା ମହିଳା ୭୨୦୫୦୦୬୦୩୯କୁ କଲ କରି ନିଜ ସମସ୍ୟା ଜଣାଇ ପାରିବେ। ଲକଡାଉନ ବେଳେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ରୋକିବା ପାଇଁ ରାଜ୍ୟମହିଳା ଓ ଶିଶୁ ବିକାଶ ବିଭାଗ ଏହି ପଦକ୍ଷେପ ନେଇଛି।

ହିଂସା ଓ ଅତ୍ୟାଚାରର ଶିକାର ମହିଳା ଘରେ ଥାଇ ଏହି ନମ୍ବର ଯୋଗେ ଅଭିଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲକଡାଉନ ଯୋଗୁଁ ମହିଳାମାନେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ଏମିତିକି ଘରେ ହିଂସା ଘଟିଲେ ସେମାନେ ସହି ଯାଉଛନ୍ତି। ଏପରିସ୍ଥଳେ ଉପରୋକ୍ତ ନମ୍ବର ଯୋଗେ ମହିଳାମାନେ ସିଧା ଅଭିଯୋଗ କରିପାରିବେ। ନିଜ ଉପରେ ହେଉଥିବା ହିଂସା ସମ୍ପର୍କିତ ଭିଡିଓ କିମ୍ବା ଫଟୋ ମଧ୍ୟ ପଠାଇ ପାରିବେ। ଯାହାକୁ ଭିତ୍ତି କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କେବଳ ଘରୋଇ ହିଂସା କ୍ଷେତ୍ରରେ ଏହି ନମ୍ୱରରେ ଅଭିଯୋଗ କରିହେବ।