ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ତେବେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ଅଧିକ ହୋଇଥିବାରୁ ଏହାକୁ ନିୟନ୍ତ୍ରିତ କରିବା ପାଇଁ ରାଜ୍ୟସରକାର ୬ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ରାଜ୍ୟରୁ ଚିହ୍ନଟ ହୋଇଥିବା ୬୦ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ଵରର ୪୬ ଜଣ ରହିଛନ୍ତି।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମକୁ ତିନୋଟି ଜୋନ୍ରେ ବିଭକ୍ତ କରି ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ବରିଷ୍ଠ ଅଧିକାରୀମାନେ ବିଏମ୍ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରିବେ।
ବରିଷ୍ଠ ଆଇଏଏସ୍ ଅଧିକାରୀ ରଞ୍ଜନ ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍, ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣପୂର୍ବ ଜୋନ୍, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦକ୍ଷିଣ ପଶ୍ଚିମ ଜୋନର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଂଚଳରେ କଣ୍ଟାକଟ ଟ୍ରେସିଙ୍ଗ ସହ ଘରକୁ ଘର ବୁଲି ସର୍ଭିଲାନ୍ସ ଟିମ୍ କରୁଥିବା ସର୍ଭେ କାର୍ଯ୍ୟର ତଦାରଖ କରିବେ । ଏହା ସହ କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ପାଖରେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିବ ସେ ଉପରେ ଗୁରୁତ୍ୱ ଦେବେ ।ସେହିପରି କରୋନା ସଂକ୍ରମଣ ଯେଭଳି ନ ବ୍ୟାପେ ସେଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେବେ ଜ୍ଝ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ କାର୍ୟ୍ୟକାରୀ କରାଇବେ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ନମୂନା ପରୀକ୍ଷାକୁ ତ୍ୱରାନ୍ୱିତ କରାଇବେ