‘କାଲିର କିଛି ସୃଜନଶୀଳ ମସ୍ତିସ୍କ’ ସିନେମାର ଆଇକନ ହୋଇ ଫେରିବେ: ଅନୁରାଗ ଠାକୁର

ନୂଆଦିଲ୍ଲୀ,ଏଜେନ୍ସି: ରବିବାର ୫୨ ତମ ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆର ପରଦା ତଳକୁ ଖସିଛି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି, ଏହି ଚଳଚ୍ଚିତ୍ର ପର୍ବ ନୂତନ ଜ୍ଞାନକୌଶଳ ନେଇ ଆସିବା ସହ ଯୁବ ପ୍ରତିଭାଙ୍କୁ ଏକ ସ୍ୱତନ୍ତ୍ର ମଞ୍ଚ ପ୍ରଦାନ କରିଛି, ଯିଏକି ଆଗକୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ନେତୃତ୍ୱ କରିବ।

ପ୍ରତିଭାଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅନନ୍ୟ ଉଦ୍ୟମ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆମେ ଭବିଷ୍ୟତର ୭୫ଟି ସୃଜନଶୀଳ ମସ୍ତିସ୍କର ଚୟନ କରିଛୁ। ମୁ ନିଶ୍ଚିତ ଯେ, ସେମାନଙ୍କ ଭିତରୁ ଅନେକ ଭବିଷ୍ୟତରେ କେବଳ ସିନେମା ଦୁନିଆର ଭାଗ ନୁହେଁ ବରଂ ସିନେମାର ଆଇକନ ହୋଇ ଆସିବେ। ଏହି ୭୫ ଜଣ ଯୁବ କଳାକାରଙ୍କ ମଧ୍ୟରେ ୭ ଜଣ ମହିଳା ଓ ୬୮ ଜଣ ପୁରୁଷ କଳାକାର ରହିଛନ୍ତି। ସେମାନେ ସମସ୍ତେ ୩୫ ବର୍ଷ ମଧ୍ୟରେ ରହିଛନ୍ତି। ଚଳଚ୍ଚିତ୍ର ନିର୍ମାଣ, ନିର୍ଦ୍ଦେଶନା, ସମ୍ପାଦନା, ସଂଗୀତ, ସ୍କ୍ରିନ ପ୍ଲେ ପ୍ରଭୃତି କ୍ଷେତ୍ରରେ ସେମାନଙ୍କର ଦକ୍ଷତାକୁ ମପାଯାଇ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ବିହାରର ୧୬ ବର୍ଷୀୟ ବାଳକ ଆର୍ଯ୍ୟନ କୁମାରଙ୍କୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦକ୍ଷତା ପାଇଁ ଚୟନ କରାଯାଇଛି।