ବାଲି,ଏଜେନ୍ସି: ଭାରତର ଶୀର୍ଷ ମହିଳା ଶଟ୍ଲର୍ ପିଭି ସିନ୍ଧୁ ଶୁକ୍ରବାର ଇଣ୍ଡୋନେସିଆ ଓପନ୍ ସୁପର୍ ୧୦୦୦ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରଥମ ଗେମ୍ ପଛରେ ଥିବା ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ କ୍ୱାର୍ଟର୍ ଫାଇନାଲ୍ରେ ଦକ୍ଷିଣ କୋରିଆର ସିମ୍ ୟୁଜିନ୍ଙ୍କୁ ୧୪-୨୧, ୨୧-୧୯, ୨୧-୧୪ରେ ହରାଇ ଦେଇଛନ୍ତି। ୮.୫୦ ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଭେଣ୍ଟ୍ର ସେମିଫାଇନାଲ୍ରେ ସିନ୍ଧୁଙ୍କ ସାମ୍ନା ଦ୍ୱିତୀୟ ସିଡ୍ ଥାଇଲାଣ୍ଡର ଇନ୍ତାନୋନ୍ ରେଚାନୋକ୍ଙ୍କ ସହ ହେବ। ରେଚାନୋକ୍ ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ରେ ଜାପାନର ଅସୁକା ତାକାଶାହୀଙ୍କୁ ୨୧-୧୭, ୨୧-୧୨ରେ ହରାଇଛନ୍ତି।
ସେହିପରି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ପୁରୁଷ ଡବଲ୍ସ ଯୋଡ଼ି ମଧ୍ୟ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିôବା କ୍ୱାର୍ଟର୍ ଫାଇନାଲ୍ରେ ଭାରତୀୟ ଯୋଡ଼ି ମାଲେସିଆର ଗୋହ ଜେ ଫେଇ ଓ ନୁର୍ ଇଜୁଦ୍ଦିନ୍ଙ୍କୁ ୨୧-୧୯, ୨୧-୧୯ର ସିଧା ଗେମ୍ରେ ହରାଇ ଦେଇଛନ୍ତି।
ୟୁଜିନ୍ଙ୍କ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ସିନ୍ଧୁଙ୍କ ପାଇଁ ସହଜ ନଥିଲା। ଏକଦା ସିନ୍ଧୁ ୭-୧ରେ ଅଗ୍ରଣୀ ଥିବାବେଳେ କୋରିଆ ଖେଳାଳି ଲଗାତାର ୬ ପଏଣ୍ଟ ହାସଲ ସହ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବ୍ରେକ୍ ପରେ ୧୧-୧୦ରେ ଅଗ୍ରଣୀ ଲାଭ କରିଥିଲେ। ଶେଷ ପର୍ଯ୍ୟନ୍ତ ଏହି ଲୟକୁ ବଜାୟ ରଖି ୟୁଜିନ୍ ପ୍ରଥମ ଗେମ୍କୁ ଜିତି ନେଇଥିଲେ। ୟୁଜିନ୍ ମଧ୍ୟ ଦ୍ୱିତୀୟ ଗେମ୍ର ପ୍ରାରମ୍ଭରେ ଆକ୍ରମଣ ପ୍ରଦର୍ଶନ କରିଥିଲେ। ତେବେ ସିନ୍ଧୁ ନିଜ ଷ୍ଟ୍ରୋକ୍ସ ଉପରେ ନିୟନ୍ତ୍ରଣ ରଖି ତାଙ୍କୁ ଲମ୍ବା ରାଲି ମାଧ୍ୟମରେ ଫସାଇ ଦେଇଥିଲେ। ନିଜ ଅଭିଜ୍ଞତାର ପ୍ରୟୋଗ କରି ସିନ୍ଧୁ ଏହି ଗେମ୍କୁ ଜିତି ନେଇଥିଲେ। ନିର୍ଣ୍ଣାୟକ ଗେମ୍ରେ ସେ ୟୁଜିନ୍ଙ୍କୁ କୌଣସି ସୁଯୋଗ ଦେଇନଥିଲେ।