ଲକଡାଉନ ସମୟରେ ମାଛ ଚାଷରୁ ରୋଜଗାର କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଦେବଗଡ଼,ଏନ୍ଏନ୍ଏସ୍: ଲକଡାଉନ ସମୟରେ ଜୀବନ ଓ ଜୀବିକା ଉଭୟ ଗୁରୁତ୍ୱପୂର୍ଣ୍ଣ। ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର ବର୍ତମାନ ଲକଡାଉନ ସମୟରେ କେତେକ କ୍ଷେତ୍ରରେ ନିୟମଗୁଡିକୁ କୋହଳ କରିଛନ୍ତି। ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମପଞ୍ଚାୟତ ତିରିବ୍ ଗ୍ରାମର ମାଆ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବାରକୋଟ ବ୍ଲକ୍ କାଉନସିବାହାଲ ଗ୍ରାମପଞ୍ଚାୟତ ସିମିଳିନାଳୀ ଗ୍ରାମର ମାଆ ବୀଣାପାଣି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସୁଯୋଗର ସଦୁପଯୋଗ କରି ନିଜ ନିଜ ଗାଁ ବନ୍ଧରେ କରିଥିବା ମାଛଚାଷରୁ ମାଛ ଅମଳ କରି ତାକୁ ବିକ୍ରୟ କରିଛନ୍ତି।

ମାଛ ଧରିବା ଏବଂ ବିକ୍ରୟ କରିବା ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମାଜିକ ଦୂରତା ଏବଂ ମୁହଁ ଘୋଡେଇବା ନିୟମକୁ ସମ୍ପୂର୍ଣ୍ଣ ପାଳନ କରି ରବିବାର ଦିନ ବନ୍ଧ ହୁଡାରେ ହିଁ ସମସ୍ତ ମାଛ ବିକ୍ରୟ କରିଥିଲେ। ମାଆ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ୧୬୦ କି.ଗ୍ରା. ଏବଂ ମାଆ ବୀଣାପାଣି ସ୍ୱୟଂ ସହାୟକ ଗୋଷ୍ଠୀ ୭୦କି.ଗ୍ରା. ମାଛ ବିକ୍ରି କରିଛନ୍ତି। ସେହିଭଳି ଗତ ଶୁକ୍ରବାର ଦିନ ତିଲେଇବଣି ଗୁଣ୍ଡୁୁରିପୋଷି ମାଆ ମହାମାୟୀ ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ଗାଁ ବନ୍ଧରୁ ୧୦୦ କି.ଗ୍ରା. ମାଛଧରି ବିକ୍ରୟ କରିଥିଲେ।