ନୂଆଦିଲ୍ଲୀ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ ବିରୋଧରେ କଂଗ୍ରେସ ଏବଂ ପ୍ରଦ୍ୟୁତ ଦେବବର୍ମନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ୨ଟି ମାମଲା ରୁଜୁ ହୋଇଛି। ଏହା ମଧ୍ୟରେ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶର ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ରବିବାର ହିଂସାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ସୁପ୍ରିମକୋର୍ଟ ପକ୍ଷରୁ ହିଂସାକାଣ୍ଡ ବନ୍ଦ ହେଲେ ଆବେଦନ ଗ୍ରହଣ କରିବ ବୋଲି କହିଛି। ଏଥି ସହିତ ମଙ୍ଗଳବାର ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ ଛାତ୍ରଛାତ୍ରୀଙ୍କ ଏପରି ହିଂସାତ୍ମକ ଆନ୍ଦୋଳନକୁ କୋର୍ଟ ପକ୍ଷରୁ ଭର୍ତ୍ସନା କରାଯିବା ସହ ଛାତ୍ରଛାତ୍ରୀମାନେ ହିଂସାକାଣ୍ଡ ଘଟାଇବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଜାମିଆମିଲିଆ ଇସଲାମିଆ ଏବଂ ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହିଂସାତ୍ମକ ଆନ୍ଦୋଳନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ସୁପ୍ରିମକୋର୍ଟ ଏ ସମ୍ପର୍କରେ ଅବଗତ ହେବା ଉଚିତ ବୋଲି ଇନ୍ଦିରା ଜୟସିଂହ ଉଲ୍ଲେଖ କରିବା ସହିତ ଏହା ଦେଶରେ ହେଉଥିବା ଗମ୍ଭୀର ମାନବାଧିକାର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ। ଏହା ପରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ବି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ନେଇ ମାମଲା ଦାୟର ହୋଇଛନ୍ତି। କିନ୍ତୁ ହାଇକୋର୍ଟ ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଥିଲେ।