ଭୁବନେଶ୍ୱର,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ୟାମୀ ସାହୁଙ୍କୁ ଚନ୍ଦ୍ରଶେଖରପୁର ପୁଲିସ ସୋମବାର ଗିରଫ କରିଛି। ଜଣେ ଯୁବତୀଙ୍କୁ ପ୍ରତାରଣା ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଡମଣା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଅନୁସାରେ ସମ୍ପର୍କୀୟଙ୍କର ସାହାଯ୍ୟରେ ଅନ୍ତର୍ଯାମୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା।
ଅନ୍ତର୍ୟାମୀ ପୂର୍ବରୁ ବିବାହ କରିଥିଲେ ଏବଂ ସ୍ତ୍ରୀ ଗାଁ’ରେ ଥିବାବେଳେ ସେ ଏହାକୁ ଯୁବତୀ ଆଗରେ ଲୁଚାଇଥିଲେ। ଅନ୍ତର୍ୟାମୀ ଯୁବତୀଙ୍କୁ ଏକ ମନ୍ଦିରରେ ବିବାହ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରଭଡା ନେଇ ରହୁଥିଲେ। ଯୁବତୀ ଜଣଙ୍କ ତାଙ୍କୁ ଗାଁକୁ ନେବା ପାଇଁ କହୁଥିଲେ ମଧ୍ୟ ଅନ୍ତର୍ୟାମୀ ବିଭିନ୍ନ ଆଳ ଦେଖାଇ ଏହାକୁ ଏଡାଇ ଯାଉଥିଲେ। ସନ୍ଦେହ ହେବାରୁ ଯୁବତୀ ଜଣଙ୍କ ଅନ୍ତର୍ୟାମୀଙ୍କ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ଚେଷ୍ଟା କରିଥିଲେ। ପରେ ସେ ବିବାହିତ ବୋଲି ଜାଣିବାକୁ ପାଇଥିଲେ। ଅନ୍ତର୍ୟାମୀ ତାଙ୍କୁ ଧୋକା ଦେଇଥିବା ଯୁବତୀ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅନ୍ତର୍ୟାମୀଙ୍କୁ ଗିରଫ କରିଛି।