ରାୟଗଡା, ଏନ୍ଏନ୍ଏସ୍ : ତାଲାବନ୍ଦ କଟକଣା କୋହଳ ପରେ ଗ୍ରାମାଚଂଳରେ ଆରମ୍ଭ ହୋଇଛି ଶ୍ରମଭିତିକ କାର୍ଯ୍ୟ । ରାୟଗଡା ଜିଲ୍ଲାରେ ଶ୍ରମଭିତିକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ୨୫ ହଜାରରୁ ଉଦ୍ଧ୍ୱର୍ ଶ୍ରମିକ। କରୋନା ପ୍ରଭାବରେ ସବୁ ବର୍ଗର ଲୋକେ ସାମାଜିକ ଓ ଅର୍ଥନୈତି ରୂପେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ସର୍ବୋପରି ଶ୍ରମିକ ଶ୍ରେଣୀ ବ୍ୟକ୍ତି ତାଲା ବନ୍ଦ ଯୋଗୁଁ ଏମାନଙ୍କ ଆର୍ଥୀକ ଅବସ୍ଥା ଭୁଷୁଡି ପଡିଛି। ଶ୍ରମିକମାନଙ୍କୁ ସ୍ଥାନୀୟ ଅଚଂଳରେ ଶ୍ରମ କାର୍ଯ୍ୟ ପ୍ରଦାନ ସକାଶେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଘୋଷଣା ବେଳେ ସରକାର ବିଶେଷ ଦୃଷ୍ଟି ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ନିୟମ ଘୋଷଣା ବେଳେ ଅର୍ଥନୀତିକୁ ଗତିଶୀଳ କରିବା ସକାଶେ କିଛି ବିଭାଗକୁ ସମୂର୍ଣ୍ଣ କଟକଣା ମୁକ୍ତ କରିଛନ୍ତି । ଏହାଦ୍ୱାରା ଗ୍ରାମାଚଂଳ ନିର୍ମାଣ ଓ ଅନ୍ୟାନ୍ୟ କୃଷିଭିତିକ ଶ୍ରମକାର୍ଯ୍ୟ ଚାଲୁ ରଖିବାକୁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଫଳସ୍ୱରୂପ ମାହାତ୍ମା ଗନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା (ଏମଜିଏନଆରଇଜିଏ) ମାଧ୍ୟମରେ ଗ୍ରାମଚଂଳ ଶ୍ରମଜୀବୀଙ୍କୁ ସ୍ଥାନୀୟ ଅଚଂଳରେ ଶ୍ରମ କାର୍ଯ୍ୟ ପ୍ରଦାନ ପାଇଁ ସରକାର ଅନୁମତି ପ୍ରଦାନ କରିବା ସହ ଏହାକୁ ତୃଣମୂଳ ସ୍ତରରେ ସଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ସ୍ତରରେ ବିଶେଷ ଭାବେ ଗୁରୁତ୍ୱାରୋପ କରାଯଇଛି।
ରାୟଗଡା ଜିଲାରେ ଏମଜିଏନଆରଇଜିଏ ଯୋଜନାରେ ୪ ଲକ୍ଷ ୮୫ହଜାର ୪ଜଣ ଶ୍ରମକାର୍ଡ ଧାରୀ ରହିଥିବାବେଳେ ଏଥିମଧ୍ୟରୁ ୨ଲକ୍ଷ ୧୩ହଜାର ୫୫୪ଜଣ ସକ୍ରୀୟ ଶ୍ରମିକ ରହିଥିବା ଜଣାପଡିଛି। ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ରାଜ୍ୟ ତାଲା ବନ୍ଦ ହୋଇ ରହିଥିବାବେଳେ ଶ୍ରମିକଙ୍କୁ ଗ୍ରାମାଚଂଳରେ ଶ୍ରମ କାର୍ଯ୍ୟ ପ୍ରଦାନ କରିବାକୁ ନେଇ ରାଜ୍ୟ ସରକାର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ବାହାର ରାଜ୍ୟ ଫେରନ୍ତା ପ୍ରବାସୀଙ୍କୁ ପ୍ରଥମିକତା ଦେଇ ରୋଜଗାର ପ୍ରଦାନ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରାଯାଇଛି। ସେହିଭଳି ରାୟଗଡା ଜିଲା ପାଇଁ ନିଯୁକ୍ତ କୋଭିଡ ନୋଡାଲ ଅଧିକାରୀ ଭିଭି ଯାଦବ ଜିଲା ଗସ୍ତ ସମୟରେ ଜିଲାର ଶ୍ରମଜୀବୀଙ୍କୁ ଶ୍ରମକାର୍ଯ୍ୟ ଯଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ।
ଶ୍ରମ କ୍ଷେତ୍ରରେ କରୋନାଠାରୁ ସୁରକ୍ଷା ସକାଶେ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ସମାଜିକ ଦୂରତ୍ୱ ଓ ସାନିଟାଇଜର ଦ୍ୱାରା ହାତ ଧୋଇବା ବାଧ୍ୟତା ମୂଳକ କରାଯାଇଛି। ତେବେ ରାୟଗଡା ଜିଲାରେ ଏହି ଯୋଜନା ଅଧିନରେ ଆଜି ସୁଦ୍ଧା ୨୫ ହଜାର ୪୦୭ଜଣ ବ୍ୟକ୍ତି ଶ୍ରମକାର୍ଯ୍ୟରେ ନିୟୋଜିତ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଥିବା ବେଳେ ଏନେଇ ଶ୍ରମବିଭାଗ ପାଖରେ କୈଣସି ସୁଚନା ନଥିବା କହିଛନ୍ତି ସହକାରୀ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ । ତେବେ ରାସ୍ତା କାମ, ଜଳ ସେଚନ କେନାଲ, ଜମି ସମତଳ, ପୋଖରୀ ଖୋଳା ଇତ୍ୟାଦି କାର୍ଯ୍ୟରେ ଏହିଶ୍ରମିକମାନେ ନିୟୋଜିତ ରହିଥିବା ଜଣାପଡ଼ିଛି। ଜିଲାର ମୋଟ ୧୮୨ ଟି ଗ୍ରାମ ପଚାଂୟତ ମଧ୍ୟରୁ ୧୭୬ଟି ଗ୍ରାମପଚାଂୟତରେ ଏମଜିଏନଆରଇଜିଏ କାର୍ଯ୍ୟ ଚାଲୁ ରହିଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୁତ୍ରରୁ ଜଣାଯାଇଛି ।