ପୁରୀ,ଏନ୍ଏନ୍ଏସ୍: ପର୍ୟ୍ୟଟନ ସହର ପୁରୀରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ଏଭଳି ଜଘନ୍ୟ ଅପରାଧ ଘଟିଛି ଏକ ପୁଲିସ କ୍ବାର୍ଟର ଭିତରେ। ବଳାତ୍କାରୀଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ତାଙ୍କୁ ଗିରଫ କରାଯାଇଥିବାବେଳେ ଆଉ ୫ଜଣଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଚାଲିଛି। କୁମ୍ଭାରପଡା ଥାନା ପୁଲିସ ଏକ ମୋକଦ୍ଦମା ରୁଜୁକରି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଜିତେନ୍ଦ୍ର କୁମାର ସେଠୀ ନାମକ କନଷ୍ଟେବଳଙ୍କ ପରିଚୟପତ୍ର ଏବଂ ଆଧାରକାର୍ଡ ମିଳିଛି।
ତେଲେଙ୍ଗାନା ଗଣଦୁଷ୍କର୍ମ ମନରୁ ନ ଲିଭୁଣୁ ପୁରୀ ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ରିଜର୍ଭ ପୁଲିସ ଲାଇନର ଅନତି ଦୂରରେ ଅବସ୍ଥିତ ଝାଡେଶ୍ୱରୀ କ୍ଲବ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ପୁଲିସ କ୍ୱାଟରରେ କରାଯାଇଛି ଏହି ଗଣଦୁଷ୍କର୍ମ। ଦୁଇଜଣ ଯୁବକ ଗଣଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇଜଣ ଦ୍ୱାର ବନ୍ଦ କରି ବାହାରେ ଜଗି ରହିଥିବା ଜଣାଯାଇଛି। ଭୁବନେଶ୍ୱରରେ ରହୁଥିବା କାକଟପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ନିମାପଡା ବସଷ୍ଟାଣ୍ଡରୁ କାର୍ ଯୋଗେ ଉଠାଇ ଆଣି ପୁଲିସ କ୍ୱାଟରରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବତୀ ଜଣକ ଗଣଦୁଷ୍କର୍ମ ସମୟର ଭିଡିଓ ତାଙ୍କର ଆଣ୍ଡ୍ରଏଡ୍ ଫୋନରେ କଏଦ କରିଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ କୁମ୍ଭାରପଡା ଥାନା ପୁଲିସ ଜଣେ ବହିଷ୍କୃତ ପୁଲିସ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀକୁ ଅଟକ ରଖି ଥାନାରେ ଜେରା କରୁଛନ୍ତି। କୁମ୍ଭାରପଡା ଥାନାରେ ଆରକ୍ଷୀ ଅଧିକ୍ଷକ ଉମା ଶଙ୍କର ଦାଶ, ଡିଏସପି କ୍ଷୀର ସାଗର ନାୟକ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି। ଏହି ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଛି। ଏଥିପାଇଁ ଦୁଇଟି ସ୍କ୍ୱାର୍ଡ ଗଠନ କରାଯାଇଛି।
ଗୋଟିଏ ସ୍କ୍ୱାର୍ଡ ଧରା ପଡିଥିବା ଜିତେନ୍ଦ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ଅନ୍ୟ ଏକ ସ୍କ୍ୱାର୍ଡ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି। ଇତି ମଧ୍ୟରେ ପୀଡିତାର ବୟାନ ରେକର୍ଡ କରାଯାଇଛି। କୁମ୍ଭାରପଡା ଥାନାରେ ଅଭିଯୁକ୍ତକୁ ଏସପି ଜେରା କରୁଥିବା ବେଳେ ଥାନା ବାହାରେ ବହୁ ଦେଖଣାହାରୀ ରୁଣ୍ଡ ହୋଇ ପୁଲିସ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା।
ଅଭିଯୁକ୍ତ ପୁଲିସ କନଷ୍ଟେବଳଙ୍କୁ ରାତିରେ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ନାମ ପ୍ରଘଟ କରାଯାଇ ନାହିଁ। ସେଥିରେ ଜଣେ ଗାଡି ଡ୍ରାଇଭର ଥିବା ଜଣାପଡିଛି। ଯୁବତୀଙ୍କୁ ନିମାପଡାରୁ ପୁରୀ ଅଣାଯାଇଥିବା ଗାଡି ପୁଲିସ ଖୋଜୁଛି। ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ବଳାତ୍କାର ହୋଇଥିବା ସ୍ଥାନରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ସିଟି ଡିଏସ୍ପି କ୍ଷୀରସାଗର ନାୟକଙ୍କ ନେତୃତ୍ବରେ ୨ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ଏସ୍ପି ଶ୍ରୀ ଦାଶ କୁମ୍ଭାରପଡା ଥାନାରେ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟା ଅନୁଧ୍ୟାନ କରୁଛନ୍ତି। ରଥଯାତ୍ରା ସମୟରେ ଜଣେ ଆଦିବାସୀ ନାବାଳିକାଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ପୁରୀ ବସ୍ଷ୍ଟାଣ୍ଡରେ ବଳାତ୍କାର କରାଯାଇଥିଲା। ସୋମବାର ପୁଲିସ କ୍ବାର୍ଟର ଭିତରେ ଜଣେ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ୩ଜଣ ଜଣେ ଯୁବତୀଙ୍କୁ ବଳାତ୍କାର କରିବା ଘଟଣା ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତ ପୁଲିସ କନଷ୍ଟେବଳକୁ ୨୦୧୬ରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିଥିବା ଜଣାପଡିଛି