ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତଙ୍କ ପରଲୋକ ଘଟିଛି । କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଶ୍ରୀ ରାଉତ ୧୭ ତାରିଖ ମଧ୍ୟରାତ୍ରରେ ଭୁବନେଶ୍ୱର ଲୁଇସ୍ ରୋଡ଼ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କର ବଡ଼ ପୁଅ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ରାଉତ, କନ୍ୟା ସ୍ମିତା ରାଉତ, ଅତିରିକ୍ତ ଶାସନ ସଚିବ, ସାନ ପୁଅ ଇଂ ଦେବବ୍ରତ ରାଉତ, ଜ୍ୱାଇଁ ଦେବାଶିଷ ସିଂ, ପୁତ୍ର ବଧୁ ଏବଂ ବଡ଼ ନାତିଙ୍କ ସହିତ ପତ୍ନୀ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୧୯୩୭ ମସିହାରେ ବିଷ୍ଣୁଚରଣ ରାଉତ ଜଗତସିଂହପୁର ଜିଲ୍ଲାର ହଳଦିଆ ପଡ଼ାସ୍ଥିତ ମଧ୍ୟଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୭୦ ଦଶକରୁ ଦୀର୍ଘ ୬୦ ବର୍ଷ ଧରି ରାଜନୀତି ବିଜ୍ଞାନରେ ଅନେକ ପାଠ୍ୟ ପୁସ୍ତକ ରଚନା କରିଥିଲେ । ସେ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଶିକ୍ଷକ ଥିଲେ ।