ମାଲକାନଗିରି,ଏନ୍ଏନ୍ଏସ୍ : ନାଗରିକତା ସଂଶୋଧନ ଆଇନରେ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ଥାନରେ ପିଡ଼ିତ ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ମୋଦି ସରକାର ଏହି ଆଇନ କରି ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ବିଶ୍ୱର ସବୁଠାରୁ ବଡ଼ ମାନବାଧିକାର ଆଇନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଆଇନରେ ଯେଉଁ ହିନ୍ଦୁ , ଜୈନ, ଶିଖ, ବୌଦ୍ଧ, ପାର୍ସି ଓ ଖୀଷ୍ଟିଆନମାନେ ଗତ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଆସିଛନ୍ତି , ସେମାନଙ୍କୁ ନାଗରିକତା ଦିଆଯିବ। କିନ୍ତୁ ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ହୋଇ ବିଭିନ୍ନ ଲୋକଙ୍କ ଜୀବନ ଯିବା ସହ ସମ୍ପତି ନଷ୍ଟ ହୋଇଛି। କିନ୍ତୁ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଲୋକଙ୍କୁ ଯେପରି ଭୂଲ ତଥ୍ୟ ଦେଇ ଲୋକଙ୍କ ମଧ୍ୟରେ ହିଂସା ବାଟକୁ ଠେଲୁଛି, ତାହା ଅତି ନିନ୍ଦନୀୟ ବୋଲି ପୂର୍ବତନ ସଂସଦ ତଥା ବରିଷ୍ଠ ବି.ଜେ.ପି ନେତା ବଳଭଦ୍ର ମାଝି ପ୍ରକାଶ କରିଛନ୍ତି।
ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। କଂଗ୍ରେସ ଦଳ ପାଇଁ ଭାରତ ବିଭାଜିତ ହୋଇଛି। ଏହା ମଧ୍ୟ ଧର୍ମ ଆଧାରରେ ବିଭାଜିତ ହୋଇଥିଲା। ଏହାସତ୍ୱେ ମଧ୍ୟ ବହୁ ହିନ୍ଦୁ ପାକିସ୍ଥାନ ଓ ବହୁ ମୁସଲିମ ଭାରତରେ ରହିଛନ୍ତି। ବିଭାଜନ ସମୟରେ ମଧ୍ୟ ଯଦି ସୀମା ସୁଚିନ୍ତିତ ଭାବେ ସୀମା ନିର୍ଦ୍ଧାରଣ କରିନାହାନ୍ତି। ଫଳରେ ବହୁ ହିନ୍ଦୁ ଓ ଶିଖ ଧର୍ମାଲମ୍ବି ଅନୁଷ୍ଟାନ ପାକିସ୍ଥାନରେ ରହିଗଲା ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝି ଅଭିଯୋଗ କରିଛନ୍ତି। ଏହି ଆଇନ ଦେଶର ନାଗରିକମାନଙ୍କୁ ଚିହ୍ନଟ କରିବାର ଏକ ପ୍ରକ୍ରିୟା ଓ ଅନ୍ୟ ସଂଖ୍ୟାଲଘୁଙ୍କୁ ଆମ ଦେଶରେ ନାଗରିକତା ଦେବାର ପ୍ରକ୍ରିୟା। ଏହି ଆଇନ କାହା ବିରୋଧି ନୁହେଁ , ବରଂ ସଂଖ୍ୟା ଲଘୁଙ୍କୁ ଭାରତରେ ନାଗରିକତା ଦେବା।
ପଡୋ଼ଶୀଦେଶରେ ହିନ୍ଦୁଙ୍କୁ ଶାରିରୀକ ଓ ମାନସିକ ଅତ୍ୟାଚାର ଓ ହିନ୍ଦୁଙ୍କ ବଳପୂର୍ବକ ଧର୍ମ ପରିବର୍ତନ କରିବା, ନରସଂହାର, ବଳତ୍କାର ଓ ସମ୍ପତି ଜବରଦଖଲ କରାଯାଉଛି, ସେମାନଙ୍କୁ ଭାରତରେ ସୁରକ୍ଷା ଦେବା ଏହାର ମୂଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି। ଏହାଦ୍ୱାରା କୌଣସି ମୁସଲିମ ଜାତିର ଲୋକଙ୍କ ପାଇଁ ଅସୁବିଧା ହେବ ନାହିଁ। ସି.ଏ.ଏକୁ ସମର୍ଥନ କରି ଆମ ଦଳ ପକ୍ଷରୁ ଜିଲ୍ଲା, ମଣ୍ଡଳ ଓ ପଂଚାୟତ ସ୍ତରରେ ପୋଷ୍ଟ କାର୍ଡ, ଇମେଲ ଟ୍ୱିଟ ମାଧ୍ୟମରେ ଇଣ୍ଡିଆ ସପୋର୍ଟ ସି.ଏ.ଏ ବାର୍ତା ଦେବାକୁ ଦଳ ଯୋଜନା କରିଛି। ଯାହା ଫଳରେ କେନ୍ଦ୍ର ସରକାରଙ୍କୁ ବଳ ମିଳିପାରିବ ବୋଲି ମାଲକାନଗିରି ଜିଲ୍ଲା ବି.ଜେ.ପି ସଭାପତି ତଥା ବିଧାୟକ ଆଦିତ୍ୟ ମାଡ଼ି ପ୍ରକାଶ କରିଛନ୍ତି। ଏଥିସହ କଂଗ୍ରେସ ଦଳ ଅସହିଷ୍ଣୁ ହୋଇ ଦେଶରେ ଅରାଜଗତା ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରୁଥିବାରୁ ଏଥିରୁ ନିବୃତ ରହିବାକୁ ବିଧାୟକ ଶ୍ରୀ ମାଡ଼ି ଦାବୀ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି ଓ ବରିଷ୍ଠ ନେତା ନିମାଇଁ ପାଲ ଯୋଗ ଦେଇଥିଲେ।