ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧାର ବରୁଣେଇ ଠାରେ ରବିବାର ପାଇକ ସ୍ମାରକୀ ଶିଳାନ୍ୟାସ ଉତ୍ସବ ଅନୁଷ୍ଠତ ହୋଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ମାରକୀର ଶିଳାନ୍ୟାସ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରି ପାଇକମାନଙ୍କ ଉପରେ ଏକ ସର୍ଟ ଫିଲ୍ମ ପ୍ରଦର୍ଶିତ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ସଡ଼ଙ୍ଗୀ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ତେବେ ପାଇକ ବିଦ୍ରୋହକୁ ୨୦୦ବର୍ଷ ପୂର୍ତ୍ତି ହୋଇଥିବାରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ନିଜ ଅଭିଭାଷଣ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବରୁଣେଇକୁ ବୀରଭୂମି କହି ଅଭିଭାଷଣ ଆରମ୍ଭ କରିଥିଲେ। ଏଥି ସହ ସେ କହିଛନ୍ତି ଯେ ପାଇକମାନେ ସ୍ୱାଭିମାନୀ ଥିଲେ, ଇଂରେଜଙ୍କ ବିରୋଧରେ ସେ ପ୍ରଥମେ ଲଢ଼େଇ ଆରମ୍ଭ କରିଥିଲେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ବିଦ୍ରୋହ ଆରମ୍ଭ କରିଥିଲେ। ତେବେ ଇଂରେଜମାନେ ଏହାକୁ ଦମନ କରିଥିଲେ ମଧ୍ୟ ଏହା ପ୍ରଥମ ବିଦ୍ରୋହ ଭାବେ ସ୍ମରଣୀୟ ବୋଲି କହିଥିଲେ। ଏହାକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।
