ପିପିଏଫ୍, ସୁକନ୍ୟା ସମୃଦ୍ଧି ଯୋଜନା ଖାତାଧାରକଙ୍କ ପାଇଁ ବାଧ୍ୟତାମୂଳକ ଜମାର ସମୟସୀମା ୩ ମାସ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଭବିଷ୍ୟ ନିଧି ଏବଂ ସୁକନ୍ୟା ସମୃଦ୍ଧି ଖାତାଧାରକଙ୍କ ପାଇଁ କେନ୍ଦ୍ର ସରକାର ଖୁସି ଖବର ଆଣିଛନ୍ତି। ଦେଶରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଏଫ୍, ଆରଡି ଓ ସୁକନ୍ୟା ସମୃଦ୍ଧି ଯୋଜନା ଖାତାଧାରକଙ୍କ ପାଇଁ ବାଧ୍ୟତାମୂଳକ ଜମାର ସମୟସୀମାକୁ ୩ ମାସ ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗତ ଶନିବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏବେ ପିପିଏଫ, ଆରଡି ଓ ସୁକନ୍ୟା ସମୃଦ୍ଧି ଖାତାରେ ୨୦୧୯-୨୦୨୦ର ବାଧ୍ୟତାମୂଳକ ରାଶି ଜୁନ ୩୦ ଯାଏଁ ଜମା କରାଯାଇପାରିବେ।

ଅର୍ଥ ମନ୍ତ୍ରାଳୟ ଦ୍ଵାରା କରାଯାଇଥିବା ଟ୍ଵିଟ୍ ଅନୁଯାୟୀ, ସରକାର କରୋନା ଭୂତାଣୁ ସଙ୍କଟକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଏଭଳି ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ପିପିଏଫ, ଆରଡି ଓ ସୁକନ୍ୟା ସମୃଦ୍ଧି ଖାତାଧାରକଙ୍କୁ ସମୟ ମିଳିବା ସହିତ ସେମାନଙ୍କର ଚିନ୍ତା ଦୂର ହେବ। ସେଥିପାଇଁ ନିୟମରେ କୋହଳ କରି ଦିଆଯାଇଛି । ତେବେ ଏହିଭଳି ଖାତାକୁ ସକ୍ରିୟ ରଖିବା ପାଇଁ ଜମାକାରୀଙ୍କୁ ପ୍ରତିବର୍ଷ ଅତିକମରେ ସର୍ବନିମ୍ନ ରାଶି ଜମା କରିବାକୁ ହୋଇଥାଏ। ନିୟମିତ ଭାବେ ରାଶି ଜମା ନକଲେ ବିଳମ୍ବ ଶୁଳ୍କ ଦେବାକୁ ପଡ଼ିଥାଏ ବୋଲି କହିଛନ୍ତି।