ଡାକ୍ତରଙ୍କୁ ଗୁଳିମାଡ଼ ଘଟଣାରେ ଦୁର୍ବୃତ୍ତର ସ୍କେଚ ଜାରିକଲା ପୁଲିସ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଗତ ଡିସେମ୍ବର ୧୫ ତାରିଖରେ ଖୋର୍ଦ୍ଧା ନୂଆ ମେଡିକାଲ ନିକଟରେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡ. ମାନସ ରଞ୍ଜନ ଦାସଙ୍କ କ୍ଲିନିକରେ ପଶି ତାଙ୍କ ଉପରକୁ ଗୁଳିମାଡ଼ କରିଥିବା ଘଟଣାକୁ ୧୯ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନାହିିଁ। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ୪ଟି ଟିମ ଗଠନ କରିଥିବା ବେଳେ ବିଭିନ୍ନ ଦିଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଛି ।

ଆଜି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ଗୁଳିମାଡ଼ କରିଥିବା ଦୁର୍ବୁତ୍ତର ସ୍କେଚ ଜାରି କରିଛନ୍ତି । ଯଦି କୌଣସି ବ୍ୟକ୍ତି ଦୁର୍ବୁତ୍ତର ସନ୍ଧାନ ପୋଲିସକୁ ଦିଅନ୍ତି ତେବେ ତାଙ୍କ ପରିଚୟ ଗୋପନ ରଖାଯିବା ସହ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ଏସପି କହିଛନ୍ତି। ସେହିପରି ଗୁଳିମାଡ଼ କରିଥିବା ଦୁର୍ବୁତ୍ତ ଜଣେ ସୁପାରୀ କିଲର ଏବଂ ତାଙ୍କୁ କିଏ ସୁପାରୀ ଦେଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ଏସପି ସୂଚନା ଦେଇଛନ୍ତି । ସେଦିନର ଗୁଳିମାଡ଼ ଘଟଣାରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ଡ. ମାନସ ରଞ୍ଜନ ଦାସ ଏବେବି ଚିକିତ୍ସାଧିନ ଅଛନ୍ତି ।