ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ପ୍ରଜ୍ଞାମୟ କୋଷ ଓ ଆନନ୍ଦମୟ କୋଷରେ ଶରୀରର ସ୍ଥିତି। ଏହାକୁ ଧ୍ୟାନରେ ରଖୁ ଡାକ୍ତରମାନେ ଶରୀରର ଚିକିତ୍ସା କରିବା ଦରକାର। ଶରୀର, ମନ ଓ ଆତ୍ମାକୁ ଏକୀଭୂତ କରି ଚିକିତ୍ସା ପଦ୍ଧତିର ପ୍ରୟୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି।
ଆଜି ରାଜଭବନରେ ଆସୋସିଏସନ ଅଫ୍ ଦି ଫିଜିସିଆନ୍ସ ଅଫ୍ ଇଣ୍ଡିଆ, ଓଡ଼ିଶା ଚାପ୍ଟର ୪୧ଟମ ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମର ପ୍ରାଚୀନ ଚିକିତ୍ସା ପରମ୍ପରା ଓ ପଦ୍ଧତିରୁ ପ୍ରେରଣା ଓ ଜ୍ଞାନ ଗ୍ରହଣ କରିବା ଦରକାର। ଏହା ସହିତ ଆଧ୍ୟାତ୍ମିକ ଭାବର ପ୍ରୟୋଗ ମଧ୍ୟ ଏକାନ୍ତ ଜରୁରୀ। ପ୍ରକୃତି ସହିତ ମଣିଷ ଯେତିକି ଆତ୍ମୀୟ ହୋଇପାରିବ, ସେତେ ରୋଗଠୁ ଦୂରେଇ ରହିବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।
ସାଂସଦ ଅଚ୍ୟୁତ ସାମନ୍ତ ଡାକ୍ତରମାନଙ୍କ ଉପରେ ଥିବା ଲୋକମାନଙ୍କର ବିଶ୍ଵାସକୁ ବଜାୟ ରଖିବା ସହିତ ଦରିଦ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଆୟୋଜନ କମିଟିର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ପଣ୍ଡା, ସଂଗଠନ ସଂପାଦକ ଡ. ଲଲାଟେନ୍ଦୁ ମହାନ୍ତି, ଅବୈତନିକ ସଂପାଦକ ଡ. ସନ୍ତୋଷ କୁମାର ସ୍ୱାଇଁ, ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଡ. ଭରତ ପାଣିଗ୍ରାହୀ, ସମ୍ମାନି ଅତିଥୁ ଡ. ଏ. ମୁରୁଗନ୍ନାଥ ପ୍ରମୁଖ ବକ୍ତବ୍ୟ ରଖୁଥିଲେ। ଏହି ଅବସରରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବା ସହ ପ୍ରଫେସର ଆର୍. ପଣ୍ଡା ଓ ଡ. ବି. ପଟ୍ଟନାୟକଙ୍କୁ ସମ୍ବର୍ଷିତ କରିଥିଲେ।